ଅଙ୍ଗ ନଦୀ ଉପରେ ବିଜୁ ସେତୁ ନିର୍ମାଣ ମାମଲା: ପଞ୍ଚାୟତିରାଜ ବିଭାଗର ସତ୍ୟପାଠ; ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ: ବରଗଡ଼ ଜିଲ୍ଲା ଅଙ୍ଗନଦୀ ଉ‌ପରେ ଲାଖମରାରୁ ଚରଦାପଲ୍ଲୀକୁ ସଂଯୋଗ ପାଇଁ ବିଜୁ ସେତୁ ନିର୍ମାଣ ପ୍ରସଂଗକୁ ନେଇ ଦାୟର ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ସୁଶୀଲ କୁମାର ଲୋହାନୀ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ପକ୍ଷ ରଖିଛନ୍ତି। ସଚିବଙ୍କ ତରଫରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଯେ ଲାଖମରାରୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ୫.୫.କି.ମି. ରାସ୍ତା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ ବରଗଡ଼ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ତରଫରୁ ଜାନୁଆରି ୨୦ରେ ଅବଗତ କରାଯାଇଛି।

ସତ୍ୟପାଠରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ହାଇକୋର୍ଟ ୫.୫ କି.ମି. ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଏହି ରାସ୍ତାକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଗାଡ଼ି ଚଳାଚଳ ଉପଯୋଗୀ କରିବା ପାଇଁ ଟେଣ୍ଡର ଆହ୍ବାନ ଲାଗି ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟ କହିବା ସହିତ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପଦ୍ମଲୋଚନ ବେରିଆ ଓ ଅନ୍ୟମାନଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଙ୍ଗନଦୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ୨୦୧୦ରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଜୁ ସେତୁ ନିର୍ମାଣ କାମ ଆଉ ଆଗେଇ ନଥିଲା। ଫଳରେ ୩୫ଟି ଗ୍ରାମର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସେତୁ ଯଦି ନିର୍ମାଣ ହୁଏ ତେବେ ଚରଦାପଲ୍ଲୀ ଅଞ୍ଚଳବାସିନ୍ଦାଙ୍କ ଜୀବନ ଶୈଳୀରେ ଉନ୍ନତି ଆସିବ। ସ୍ଥାନୀୟ ଲୋକମାନେ ଛତିଶଗଡ଼ର ସରେଇପାଲି, ବସନା ଓ ରାୟପୁର ଭଳି ସହରକୁ ବ୍ୟବସାୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯାଇ ପାରିବେ। ଉପଯୁକ୍ତ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇ ପାରିବେ ବୋଲି ଆବେଦନକାରୀ ଦର୍ଶାଇଥିଲେ।। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର