କଟକ : ବରଗଡ଼ ଜିଲ୍ଲା ଅଙ୍ଗନଦୀ ଉ‌ପରେ ଲାଖମରାରୁ ଚରଦାପଲ୍ଲୀକୁ ସଡ଼କପଥରେ ସଂଯୋଗ ପାଇଁ ବିଜୁ ସେତୁ ନିର୍ମାଣ ପ୍ରସଂଗକୁ ‌େନଇ ଦାୟର ମାମଲାରେ ଆଜି ହାଇକୋର୍ଟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ସୁଶୀଲ କୁମାର ଲୋହାନୀ ହାଜର ହୋଇଥିଲେ। ଲାଖମରାରୁ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ୫.୫.କି.ମି. ରାସ୍ତା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗ୍ରାମ୍ର ଉନ୍ନୟନ ବିଭାଗକୁ ହସ୍ତାନ୍ତର ପ୍ରସଂଗରେ ରହିଥିବା ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ ଏକ ସପ୍ତାହ ମହଲତ ପ୍ରଦାନ ପାଇଁ ସଚିବ ଅନୁରୋଧ କରିଥିଲେ।

Advertisment

ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ଏହି ପ୍ରସଙ୍ଗରେ ପଞ୍ଚାୟତିରାଜ ବିଭାଗ ନେବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୨୪ ସୁଦ୍ଧା ପଞ୍ଚାୟତିରାଜ ବିଭାଗ ଏହି ସତ୍ୟପାଠ ଦାଖଲ କରିବ। ଜାନୁଆରି ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ପଞ୍ଚାୟତିରାଜ ସଚିବ ଭର୍ଚୁଆଲ ମୋଡ୍‌ରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପଦ୍ମଲୋଚନ ବେରିଆ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।