କଟକ : ୨୦୦୫ ପୂର୍ବରୁ ଯଦି ପିତାଙ୍କର ମୃତ୍ୟୁ ଘଟିଥାଏ, ତେବେ ସେ କ୍ଷେତ୍ରରେ ବି ଝିଅଙ୍କୁ ପୁଅଙ୍କ ଭଳି ପୈତୃକ ସଂପତ୍ତିରେ ସମାନ ଅଧିକାର ମିଳିବ। ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ୨୦୦୫ରେ ଆସିଥିବାରୁ ଏହା ପୂର୍ବରୁ ପ୍ରାଣ ହରାଇଥିବା ପିତାଙ୍କ ସଂପତ୍ତିରେ ଝିଅଙ୍କୁ ପୁଅଙ୍କ ସହ ସମାନ ଅଧିକାର ମିଳିବ ନାହିଁ ବୋଲି ସୁନ୍ଦରଗଡ଼ର କ୍ଲେମ୍‌ସ କମିସନଙ୍କ ନିଷ୍ପତ୍ତିକୁ ଖାରଜ କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କର ସମାନ ଅଧିକାର ରହିଛି। ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ବୃହତ୍ତ ଖଣ୍ଡପୀଠଙ୍କ ରାୟ ରହିଛି। ତେଣୁ କୌଣସି ଝିଅଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାଜ୍ଞସେନୀ ପଟେଲଙ୍କ ଅାବେଦନର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। ପୈତୃକ ସମ୍ପତ୍ତିରେ ଅାଜୀବନ ଝିଅର ଭାଗ ରହିବ ବୋଲି ଭିନିତା ଶର୍ମା ବନାମ ରାକେଶ ଶର୍ମା ଓ ଅନ୍ୟ ମାନଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

Advertisment

ମାମଲାରୁ ପ୍ରକାଶ ଯେ ଆବେଦନକାରୀ ଯାଜ୍ଞସେନୀ ପଟେଲଙ୍କ ପିତାଙ୍କର ୨୦୦୫ ମାର୍ଚ୍ଚ ୧୯ରେ ପରଲୋକ ହୋଇଥିଲା। ହେଲେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ୨୦୦୫, ସେପ୍ଟେମ୍ବର୯ରୁ ଲାଗୁ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ତାଙ୍କ ତିନି ପୁଅ ତଥା ଆବେଦନକାରୀଙ୍କ ତିନି ଭାଇ ସେମାନଙ୍କ ନାମରେ ସୁନ୍ଦରଗଡରେ ଥିବା ପୈତୃକ ସଂପତ୍ତି ମ୍ୟୁଟେସନ କରାଇ ନେଇଥିଲେ। ଏହାକୁ ଆବେଦନକାରୀ ଓ ତାଙ୍କର ଅନ୍ୟ ଦୁଇ ଭଉଣୀ ସୁନ୍ଦରଗଡ ଉପଜିଲ୍ଲାପାଳଙ୍କ ନିକଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ସମ୍ପତ୍ତିର ରେକର୍ଡରେ (ଆରଓଆ) ପୁଅମାନଙ୍କ ସହିତ ଝିଅମାନଙ୍କ ନାଁ ଅନ୍ତର୍ଭୁକ୍ତ କରିବାକୁ ଉପଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ ସାନି ଆରଓଆର ପ୍ରସ୍ତୁତ ହୋଇଥିଲା। ଏହାପରେ ଆବେଦନକାରୀ ଓ ତାଙ୍କ ଭଉଣୀ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ପାଇବାକୁ ହକଦାର ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ମାମଲା କ୍ଲେମ୍‌ସ କମିସନଙ୍କ ପାଖରେ ପହଞ୍ଚିଥିଲା। ପୈତୃକ ସମ୍ପତ୍ତିରେ ଝିଅ ମାନେ ସମାନ ଅଧିକାର ଦାବି କରିପାରିବେ ନାହିଁ। ଯେହେତୁ ସଂଶୋଧିତ ଆଇନ ଆସିବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲା ବୋଲି ‌କମିସନ କହିଥିଲେ। ଆବେଦନକାରୀ ଭାଇଙ୍କ ସପକ୍ଷରେ କମିସନ ୨୦୨୦, ଜାନୁଆରି ୪ରେ ରାୟ ଦେଇଥିଲେ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଭିନିତା ଶର୍ମା ମାମଲାର ରାୟ ୨୦୨୦, ଅଗଷ୍ଟ ୧୧ରେ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି କମିସନଙ୍କ ବିରୋଧରେ ଆବେଦନକାରୀ ହାଇକୋର୍ଟରେ ଯୁକ୍ତି ଦର୍ଶାଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କମିସନଙ୍କ ରାୟକୁ ରଦ୍ଦ କରିଛନ୍ତି। ଏହି ପ୍ରସଂଗରେ କ୍ଲେମ୍‌ସ କମିସନ ସାନି ବିଚାର କରିବେ। ସମସ୍ତ ପକ୍ଷଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇ କମିସନ ସାନି ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି।