ଡାଆଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ବରପଦା ଗ୍ରାମରେ ଡା‌ହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ପଥର ଛେଚି ହତ୍ୟା ମାମଲାରେ ଚମ୍ପୁଆ ଅତିରିକ୍ତ ଦୌରାଜଜ୍ ସରୋଜ କୁମାର ଦାସ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ଗ୍ରାମର ମୋହନ ମୁଣ୍ଡାଙ୍କ ପିଲାମାନଙ୍କ ଦେହ ବାରମ୍ବାର ଖରାପ ହେଉଥିଲା। ତାଙ୍କ ଭାଇବୋହୂ ମନୀଷା ମୁଣ୍ଡା ଗୁଣିଗାରେଡ଼ି କରୁଥିବାରୁ ଏପରି ହେଉଥିବା ମୋହନ ସନ୍ଦେହ କରୁଥିଲା। ଗାଁ ପାଖ ଜଙ୍ଗଲରେ ମନୀଷାଙ୍କୁ ଏକୁଟିଆ ପାଇ ମୋହନ ତାଙ୍କୁ ପଥର ଛେଚି ହତ୍ୟା କରିଥିଲା। ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲା। ମୃତଦେହ ପଚି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମନୀଷାଙ୍କ ସ୍ବାମୀ ପଞ୍ଚୁ ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୁଲିସ ତାହାକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଏନେଇ ରୁଗୁଡ଼ି ପୁଲିସ କେସ୍‌ ନମ୍ବର ୯୯/୨୦୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୋହନକୁ ଗିରଫ କରିଥିଲା। ୩୨ଜଣ ସାକ୍ଷୀ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆ ଅତିରିକ୍ତ ଦୌରାଜଜ୍ ସରୋଜ କୁମାର ଦାସ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ଅଧିକ ଦୁଇବର୍ଷ ଜେଲ୍‌। ସରକାରୀ ଓକିଲ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର