ଧଉଳି: ଗତକାଲି ରାତିରେ ଶିଶୁପାଳଗଡ଼ ଅଞ୍ଚଳରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପୁଲିସ ଏଯାଏ କାହାକୁ ଗିରଫ କରିପାରିନାହିଁ। ଏହି ଆକ୍ରମଣର ମୁଖିଆ ଉତ୍ତମ ମହାପାତ୍ରଙ୍କ ସମେତ ୮ ଜଣଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି। ଆକ୍ରମଣର ଶିକାର ହୋଇଥିବା ୩ ଯୁବକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ନିଶା କାରବାରକୁ ନେଇ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ସୂଚନାନୁସାରେ ଗତ କିଛି ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ଛକାପଞ୍ଝା ଗତକାଲି ଉଗ୍ର ରୂପ ନେଇଥିଲା। ଉତ୍ତମ ଓ ତା’ର ସମର୍ଥକମାନେ ବିପକ୍ଷ ଗୋଷ୍ଠୀର ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ।

Advertisment

ଏମିତିକି ମାରଣାସ୍ତ୍ରରେ ସଜ୍ଜିତ ୮/୯ ଜଣ ଗାଁରେ ପଶି ଆତଙ୍କରାଜ ଆରମ୍ଭ କରିଦେଇଥିଲେ। ଗାଡ଼ି ଭଙ୍ଗାରୁଜା କରିବା ସହ ଗାଁ ଭିତରେ ଯାହାକୁ ପାଇଲେ, ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଶିଶୁପାଳ ଛକ ଓ ନୂଆଗାଁ ଛକରେ ଖଣ୍ଡା, ଭୁଜାଲି ଧରି ବହୁ ଲୋକଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଅତର୍କିତ ଆକ୍ରମଣରେ ଲୋକେ ଏମିତି ଭୟଭୀତ ହୋଇପଡ଼ିଥିଲେ ଯେ ସେମାନେ ତାଟି କବାଟ ବନ୍ଦ କରି ଦେଇଥିଲେ। ଏନେଇ ଶିଶୁପାଳଗଡ଼ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଅଧିକ ଗଣ୍ଡଗୋଳ ଆଶଙ୍କାରେ ପୁଲିସ ମୁତୟନ ହୋଇଥିଲେ ଏବଂ ଲୋକେ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ।