ପୁଲିସ କର୍ମଚାରୀ ମାନସିକ ଚାପରେ ରହିବା ମାମଲା: ଦାବିପତ୍ର ଉପରେ ନିଷ୍ପତ୍ତି ନେବାକୁ ଡିଜିଙ୍କୁ ନିର୍ଦ୍ଦେଶ

କଟକ : ରାଜ୍ୟରେ କାର୍ଯ୍ୟରତ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଅତ୍ୟ‌ଧିକ ମାନସିକ ଚାପର ବଶବର୍ତ୍ତୀ ସଂକ୍ରାନ୍ତରେ ଅନୁଧ୍ୟାନ, ଖାଲି ପଡିଥିବା ପଦବି ପୂରଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଶୁଣାଣି କରି ନିଷ୍ପତ୍ତି ନେବାକୁ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିଚାରାଧୀନ ଥିବା ଆବେଦନକାରୀଙ୍କ ଦାବିପତ୍ର ଉପରେ ଉପରେ ଶୁଣାଣି କରି ପୁଲିସ ଡିଜି ନିଷ୍ପତ୍ତି ଗ୍ରହଣ କରିବେ। ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ଆବେଦନକାରୀଙ୍କୁ ବ୍ୟକ୍ତିଗତ ଭାବେ ପକ୍ଷ ରଖିବାକୁ ଡିଜି ସୁଯୋଗ ଦେବେ। ତେଣୁ ଶୁଣାଣିର ଅତି କମ୍‌ରେ ୧୦ଦିନ ପୂର୍ବରୁ ଆବେଦନକାରୀଙ୍କୁ ଅବଗତ କରାଯିବ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ପୁଲିସରେ ୭୫ ହଜାର ୩ଶହ ବିଭିନ୍ନ ପଦପଦବି ରହିଛି। ଏବେ ପ୍ରାୟ ୧୦ ହଜାର ୯୪୧ଟି ପଦ ଖାଲି ପଡ଼ିଛି। ରାଜ୍ୟରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫୭ଜଣ ପୁଲିସ କର୍ମଚାରୀ/ଅଧିକାରୀ ରହିଛନ୍ତି। ପୁଲିସ ବ୍ୟବସ୍ଥାରେ ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟର ମେରୁଦଣ୍ଡ ହୋଇଥିବା ବେଳେ ବହୁ ଅଧିକାରୀ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଆବେଦନକାରୀ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସେ ଜନସ୍ବାର୍ଥ ଆବେଦନ ଦାୟର କରିଥିଲେ।

ସମ୍ବନ୍ଧିତ ଖବର