କଟକ : ରାଜ୍ୟରେ ଥିବା ଜେଲ ଗୁଡିକର ଭିତ୍ତଭୂମି ବିକାଶ ଓ ବନ୍ଦୀଙ୍କ ପାଇଁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଲ ସଂସ୍କାର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରିଥିବା ବେଳେ ଆଜି ଜେଲ୍ ଡିଜି ମନୋଜ କୁମାର ଛାବରା ଜେଲ୍ ସଂସ୍କାର ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ଜେଲ୍ ଆଧୁନିକୀକରଣ ପାଇଁ ଦିଆଯାଇଥିବା ଅର୍ଥ, ଜେଲ୍ ପୁନର୍ଗଠନ ସଂପର୍କିତ ନିଷ୍ପତ୍ତି ସଂକ୍ରାନ୍ତରେ ସବିଶେଷ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ରଖିବାକୁ ଅଦାଲତ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜେଲ ଡିଆଇଜିଙ୍କ ତରଫରୁ ପୂର୍ବରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ଯାଜପୁର ସବ୍-ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୭୭ ପ୍ରତିଶତ ଅଧିକ ବନ୍ଦୀ ରହିଥିବା ବେଳେ ପାଖ ଜେଲ ଗୁଡିକୁ ସେମାନଙ୍କୁ ସ୍ଥାନାନ୍ତର କରାଯିବା ପରେ ଏହା ୪୮ ପ୍ରତିଶତକୁ ହ୍ରାସ ପାଇଛି। ଯାଜପୁରରେ ନୂଆ ସବ୍-ଜେଲ ନିର୍ମାଣ ପାଇଁ ୨୦ ଏକର ଜମି ଚିହ୍ନଟ କରାଯାଇଛି। ମାଲକାନଗିରିକୁ ଛାଡ଼ି ଅନ୍ୟ ଜେଲ ଗୁଡିକରେ ଭିଡ ହ୍ରାସ ପାଇଛି। କିନ୍ତୁ ମାଲକାନଗିରି ସବ୍-ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ପୂର୍ବରୁ ୩୭ ପ୍ରତିଶତ ଅଧିକ ବନ୍ଦୀ ଥିବା ବେଳେ ଏହି ସଂଖ୍ୟା ୪୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

ଜେଲ୍‌କୁ ମିଳିବ ୧୦ ଆମ୍ବୁଲାନ୍ସ, ମେ ସୁଦ୍ଧା ଖାଲି ଥିବା ଜେଲ୍‌ ମେଡିକାଲ ଅଫିସର ପଦ ପୂରଣ ହେବ

ଅନ୍ୟପଟେ କେତେକ ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅଦାଲତଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତ ଅନୁସାରେ ବେଲ-ବଣ୍ଡ୍ ଦେଇ ପାରି ନଥିବାରୁ ସେମାନେ ଜାମିନରେ ଜେଲରୁ ମୁକୁଳି ପାରି ନଥିବା ଘଟଣା ପ୍ରସଂଗରେ ଆମିକସ୍ କ୍ୟୁରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି ଭାବେ ୪୫ଜଣ ବନ୍ଦୀ ବିଭିନ୍ନ ଜେଲରୁ ବାହାରି ପାରୁ ନାହାନ୍ତି। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଏପରି ବନ୍ଦୀଙ୍କୁ ଜେଲରୁ ମୁକ୍ତି ପାଇଁ ଉପଯୁକ୍ତ ଅଦାଲତରେ ଜାମିନ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୦ ସୁଦ୍ଧା ଏହି ପ୍ରସଂଗରେ ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି।

ସେହିଭଳି ଖାଲି ପଡ଼ିଥିବା ଜେଲ ମେଡିକାଲ ଅଫିସର ପଦ ୨୦୨୩, ମେ ସୁଦ୍ଧା ପୂରଣ ହେବ ବୋଲି ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ ଏସ.ପଣ୍ଡିତ ହାଇକୋର୍ଟଙ୍କୁ ଅବଗତ କରିଥିଲେ। କ୍ଲିନିକାଲ ସାଇକୋଲୋଜିଷ୍ଟ ଓ ମାନସିକ ସ୍ବାସ୍ଥ୍ୟ ସାମାଜିକ କର୍ମୀ ପଦ ପୂରଣ ପାଇଁ ଖୁବ ଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି। ରାଜ୍ୟରେ ଏବେ ୮୭ଟି ଜେଲ ଓ ସବ୍-ଜେଲରେ ଆମ୍ବୁଲାନ୍ସ ନାହିଁ। ଅତି କମରେ ଆଉ ୧୦ଟି ଆମ୍ବୁଲାନ୍ସ ଜେଲ ବିଭାଗକୁ ପ୍ରଦାନ କରିବା ଲାଗି ଗୃହ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତାଳଚେର ସ୍ପେଶାଲ ଜେଲରେ ଜଣେ ବନ୍ଦୀଙ୍କୁ ନିର୍ଯାତନା ନେଇ ଅଭିଯୋଗର ଶୁଣାଣି କରି ହାଇକୋର୍ଟ ତୁରନ୍ତ ପଦକ୍ଷେପ ନେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜଣେ ବନ୍ଦୀଙ୍କୁ ଜେଲରୁ ମୁକ୍ତ କରାଯିବା ପ୍ରସ୍ତାବ ୨୦୨୧, ଜୁଲାଇ ୨୩ରୁ ବିଚାରାଧୀନ ରହିଥିବା ଖୋର୍ଦ୍ଧା ଡିଏଲଏସଏ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହି ପ୍ରସ୍ତାବକୁ ଅନୁଧ୍ୟାନ କରି ମେ ୩୧ ସୁଦ୍ଧା ନିଷ୍ପତ୍ତି ଗ୍ରହଣ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ମାସ ଭିତରେ ସବୁ ଡିଏଲଏସଏ ସଚିବମାନେ ସେମାନଙ୍କ ଜିଲ୍ଲାର ଜେଲ ଓ ସବ-ଜେଲ ଗୁଡିକୁ ବିନା ପ୍ରାକ୍ ସୂଚନାରେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଏ ସଂପର୍କିତ ରିପୋର୍ଟ ହାଇକୋର୍ଟରେ ମେ ୩୧ ସୁଦ୍ଧା ଦାଖଲ ହେବ ବୋଲି ହାଇକୋର୍ଟ କହିଛନ୍ତି। ଜୁନ୍ ୨୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

କୃଷ୍ଣ ପ୍ରସାଦ ସାହୁଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆମିକସକ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।