କେନ୍ଦୁଝର: ଖଣି ନିଲାମ ନେବାର ମାତ୍ର ଦୁଇବର୍ଷ ପରେ ଖଣି ଫେରସ୍ତର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଲାଭ ଆଶାରେ ଅତ୍ୟଧିକ ପ୍ରିମିୟମ ଦେଇ ଖଣି ହାତେଇଥିବା ଲିଜ୍‌ଧାରୀ ଏବେ କ୍ଷତି ହେଉଥିବା ଦର୍ଶାଇ ଖଣି ଫେରସ୍ତ ପାଇଁ ଚିଠି ଲେଖୁଛନ୍ତି। ଯେଉଁ ଉଦ୍ଦେଶ୍ୟ ନେଇ ଉଚ୍ଚ ପ୍ରିମିୟମରେ ଖଣି ‌ନେଇଥିଲେ, ତାହା ସଫଳ ନ ହେବାରୁ ଖଣି ଫେରାଇବାକୁ ଲିଜ୍‌ଧାରୀ ନିଷ୍ପତ୍ତି ନେଉଥିବା କୁହାଯାଉଛି। ଜେଏସ୍‌ଡବ୍ଲ୍ୟୁ କମ୍ପାନି ୨୦୨୦ରେ ଯୋଡ଼ା ଖଣି ମଣ୍ଡଳର ଜଜାଙ୍ଗ ଲୁହାପଥର ଖଣିକୁ ଲିଜ୍‌ ନେଇଥିଲା। ଏହି ଖଣି ପୂର୍ବରୁ ରୁଙ୍ଗଟା କମ୍ପାନି ହାତରେ ଥିଲା। ୬୬୬ ହେକ୍ଟର ପରିମିତ ଅଞ୍ଚଳରେ ଥିବା ଏହି ଖଣି ହାତେଇବାକୁ ରୁଙ୍ଗଟା, ଜେଏସ୍‌ଡବ୍ଲ୍ୟୁ, ମିତ୍ତଲ, ବେଦାନ୍ତ, ଜେଏସ୍‌ପିଏଲ୍‌, ଆଦାନି ଭଳି ବଡ଼ ବଡ଼ କମ୍ପାନି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିଲେ। ସର୍ବାଧିକ ୧୧୦ ପ୍ରତିଶତ ପ୍ରମିୟମରେ ଜେଏସ୍‌ଡବ୍ଲ୍ୟୁ ଏହାକୁ ହାତେଇଥିଲା। ମାତ୍ର ଦୁଇବର୍ଷ ପରେ କମ୍ପାନିର ଏହି ଖଣି ପ୍ରତି ମୋହ ଭଙ୍ଗ ହେଲା କାହିଁକି ?

Advertisment

କିଛିମାସ ତଳେ ଲୁହାପଥର ଖଣିରେ ଗ୍ରେଡ୍‌ ଅଦଳବଦଳ କରାଯାଉଥିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିଥିଲେ। ସାଂସଦଙ୍କ ଏଭଳି ଅଭିଯୋଗ ପରେ ରାଜ୍ୟ ସରକାର ସତର୍କ ହୋଇଥିଲେ। ଏଭଳି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଯିବା ଏବଂ ବଜାରରେ ଲୁହାପଥରର ଚାହିଦା କମିବା ଲିଜ୍‌ଧାରୀଙ୍କୁ ଅଡୁଆରେ ପକାଇଥିବା କୁହାଯାଉଛି। ଖଣି ବ୍ୟବସାୟ ସହ ଜଡ଼ିତ ଥିବା କିଛି ବିଶେଷଜ୍ଞ କହିବା ହେଲା, ପୂର୍ବରୁ ଯେଉଁ ଲିଜ୍‌ଧାରୀ ଖଣି ନେଇଥିଲେ ସେମାନେ ଲାଭ କରୁଥିଲେ। ବ୍ୟାପକ ଲୁହାପଥର ଚୋରି ହୋଇଥିବା ନେଇ ଶାହା କମିସନ ‌ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏଥିପାଇଁ ଏକାଧିକ ଲିଜ୍‌ଧାରୀ ଓ ସରକାରୀ ଅଧିକାରୀ ଅଡ଼ୁଆରେ ପଡ଼ିଥିଲେ। ଏହାପରେ ୨୦୨୦ରେ ରାଜ୍ୟ ସରକାର ଏକାଧିକ ଲୁହପଥର ଖଣି ନିଲାମ କଲେ। ଏହି ବ୍ୟବସାୟରେ ଲାଭକୁ ଦୃଷ୍ଟିରେ ରଖି ହୁଏତ ପରବର୍ତ୍ତୀ ସମୟରେ ନୂଆ କମ୍ପାନିଗୁଡ଼ିକ ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେଲେ। ‌ଅନ୍ୟପକ୍ଷରେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବା ଯୋଡ଼ା ଖଣିମଣ୍ଡଳର ପୁରୁଣା ଲିଜ୍‌ଧାରୀ କୌଣସି ଗୋଟିଏ ବି ଖଣିକୁ ଅଧିକ ପ୍ରିମିୟମ ଦେଇ ନେବାକୁ ଚାହିଁ ନ ଥିଲେ। ତେଣୁ ଅଧିକାଂଶ ଖଣି ନୂଆ ଲିଜ୍‌ଧାରୀଙ୍କ ହାତକୁ ଚାଲିଯାଇଥିଲା। ଯେଉଁ ଉଦ୍ଦେଶ୍ୟ ରଖି ଅତ୍ୟଧିକ ପ୍ରମିୟମରେ ନେଇଥିଲେ ଦୁଇବର୍ଷ ମଧ୍ୟରେ କ୍ଷତି ହେଉଥିବା ଅନୁଭବ କରି ଖଣି ଫେରାଇବାକୁ ସରକାରଙ୍କୁ ଚିଠି ଲେଖିଲେଣି।

କୁହାଯାଉଛି ଯେ, ଜେଏସ୍‌ଡବ୍ଲ୍ୟୁ ସର୍ବନିମ୍ନ ଖଣିଜ ପରିବହନ କରିପାରୁ ନଥିଲା। ସରକାରୀ ଗାଇଡ୍‌ଲାଇନ୍‌ ଅନୁସାର, ସର୍ବନିମ୍ନ ଖଣିଜ ପରିବହନ ନକଲେ ସରକାର ରୟାଲଟି ପାଇବାରୁ ବଞ୍ଚିତ ହେବେ। ସରକାରଙ୍କ ରାଜସ୍ବ କମିବ। ଅନ୍ୟପକ୍ଷରେ ଏହି କମ୍ପାନି ଗୁଡ଼ିକ ଖଣି ନିଲାମ ପ୍ରକ୍ରିୟାରେ ‌ସାମିଲ ହେବା ପୂର୍ବରୁ ଏ ସମ୍ପର୍କରେ ବୈଷୟିକ ଟିମ୍‌ ଓ ପରାମର୍ଶଦାତାମାନଙ୍କ ସହ ବିଚାର ବିମର୍ଷ କରିବା ପରେ ଅଧିକ ପ୍ରମିୟିମ ଦେଇ ଖଣି ନେଇଥି‌ବେ। ମାତ୍ର ଦୁଇବର୍ଷ ମଧ୍ୟରେ କାହିଁକି ଖଣି ପ୍ରତି ଥିବା ମୋହ ଭଙ୍ଗ ହେଲା ତାହା ଅନେକଙ୍କୁ ବିସ୍ମିତ କରୁଛି। ପୂର୍ବରୁ ୨୦୨୦ରେ ଜିଲିଂ-ଲଙ୍ଗାଲୋଟା ଲୁହାପଥର ଖଣିକୁ ଶ୍ୟାମ ଓର୍‌ କମ୍ପାନି ନିଲାମ ନେଇଥିଲା। କିନ୍ତୁ ଖଣି ପରିଚାଳନା କରିପାରିଲା ନାହିଁ। ଶେଷରେ ୨୦୨୧ ଫେବ୍ରୁଆରିରେ ରାଜ୍ୟ ସରକାର ଏହି ଖଣିକୁ ଓଏମ୍‌ସିକୁ ୧୦ ବର୍ଷିୟା ଲିଜ୍‌ ସୂତ୍ରରେ ହସ୍ତାନ୍ତର କରିଥିଲେ। ଶ୍ୟାମ ଓର୍‌ ପରି ଜେଏସ୍‌ପିଏଲ୍‌ ୨୦୨୦ରେ ଗୁଆଲି ଖଣିକୁ ୧୪୪ ପ୍ରତିଶତ ପ୍ରିମିୟମ ଦେଇ ନେଇଥିଲା। ୩୬୫ ହେକ୍ଟର ପରିମିତ ଏହି ଖଣିରେ ୧୯୮ ମିଲିଅନ ଟନ୍‌ ଲୁହାପଥର ଗଚ୍ଛିତ ଥିଲା। କମ୍ପାନି ଏହାକୁ ପରିଚାଳନା ନ କରିବାରୁ ବାଧ୍ୟ ହୋଇ ରାଜ୍ୟ ସରକାର ଏହି ଖଣିକୁ ଓଏମ୍‌ସିକୁ ‌ଦେଇଦେଲେ।