ଭିମ୍‌ସାରରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ : ବୁର୍ଲାସ୍ଥିତ ଭିମ୍‌ସାରରେ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାରେ ଭିମ୍‌ସାର ନିର୍ଦ୍ଦେଶକଙ୍କ ସହିତ ଅନ୍ୟମାନଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଥୋଲୋଜି ବିଭାଗରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ଅଦାଲତଙ୍କ ବିନା ଅନୁମତିରେ ପୂରଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅ‌ାନେସ୍ଥେସିଓଲୋଜି ବିଭାଗ ପାଇଁ ପ୍ରକାଶିତ ଚୂଡ଼ାନ୍ତ ନିଯୁକ୍ତି ତାଲିକାରେ ସ୍ଥାନ ପାଇଥିବା ଜଣେ ନିର୍ଦ୍ଦିଷ୍ଟ ଡାକ୍ତର (ପ୍ରତିପକ୍ଷ ନମ୍ବର-୩) ଯଦି ଚାକିରିରେ ଯୋଗ ଦେଇ ନଥିବେ, ତେବେ ତାଙ୍କୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଯୋଗ ଦେବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଏସ.ଏନ.ଭୁଜବଳ ଓ ଡାକ୍ତର ଆର.ଏନ.ସ୍ବାଇଁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ; ୨୦୨୨, ଏପ୍ରିଲ ୧୯ରେ ଭିମସାର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିରେ/ଡେପୁଟେସନରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଅ‌ାନେସ୍ଥେସିଓଲୋଜି ବିଭାଗରେ ପ୍ରଥମରୁ ୨ଟି ପଦବି ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୩କୁ ବୃଦ୍ଧି କରାଯାଇଥିଲା ଓ ପାଥୋଲୋଜି ବିଭାଗରେ ୮ଟି ପଦବି ରହିଥିଲା। ଆବେଦନକାରୀ ପ୍ରଥମ ସୁଯୋଗରେ ଏମଡି ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ସାର୍ଟିଫିକେଟରୁ ଏହି ତଥ୍ୟ ସ୍ପଷ୍ଟ। ଯେଉଁ ସୂଚନା ପାଇଁ ଚାନ୍ସ ସାର୍ଟିଫିକେଟ ଆବଶ୍ୟକ ତାହା ଆବେଦନକାରୀଙ୍କ ପାସ୍ ସାର୍ଟିଫିକେଟରୁ ସ୍ପଷ୍ଟ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କେତେକ ପ୍ରାର୍ଥୀଙ୍କୁ ଯାଞ୍ଚ ଦିନ ଚାନ୍ସ ସାର୍ଟିଫିକେଟ ଦାଖଲ କରିବାକୁ ଦିଆଯାଇଥିଲା। ଯାଞ୍ଚ ସ୍ଥାନ ନିକଟରେ ଥିବାରୁ ଭିମସାରରେ ପଢିଥିବା ଏପରି ପ୍ରାର୍ଥୀ ଯାଞ୍ଚ ଦିନ ଚାନ୍ସ ସାର୍ଟିଫିକେଟ ଦାଖଲ କରିଥିଲେ। ଏପରି ସୁଯୋଗ କିନ୍ତୁ ଆବେଦନକାରୀଙ୍କୁ ମିଳି ନଥିଲା। ଏଥିସହିତ ଚାନ୍ସ ସାର୍ଟିଫିକେଟ ଦାଖଲ ନ କଲେ ପ୍ରାର୍ଥିତ୍ବ ଖାରଜ ହେବ ବୋଲି ଆବେଦନକାରୀଙ୍କୁ ମଧ୍ୟ କୁହାଯାଇ ନଥିଲା। ଅ‌ାନେସ୍ଥେସିଓଲୋଜି ବିଭାଗର ମେଧା ତାଲିକାର ଉପର ସ୍ଥାନରେ ପ୍ରଥମ ଆବେଦନକାରୀ ଥିବାବେଳେ ପାଥୋଲୋଜି ବିଭାଗରେ ଏବେ ବି ଦୁଇ ପଦବି ଖାଲିପଡ଼ିଛି ବୋଲି ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏହାପରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେବା ସହିତ ଜୁଲାଇ ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପାମି ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର