ବାଲିଆ ପୂର୍ବତନ ସମିତି ସଭ୍ୟା ହତ୍ୟା ମାମଲା: ୭ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ 

ଜୟପୁର: ବହୁ ଚର୍ଚ୍ଚିତ ବାଲିଆ ପୂର୍ବତନ ସମିତିସଭ୍ୟ ରାମକୃଷ୍ଣ ପୁଜାରୀଙ୍କ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୈରାଜଜ୍ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ସୁକାନ୍ତ ମଣ୍ଡଳ, ପିତବାସ ମଣ୍ଡଳ, ଘାସି କୁମ୍ଭାର, ପୁରୁଷତି କୁମ୍ଭାର, ପୁର୍ଣ୍ଣ ପୁଜାରୀ, ଅର୍ଜୁନ ପ୍ରଧାନୀ, ଭଗବାନ ପରଜାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁସାରେ , ୨୦୧୫ମସିହାରେ ମାର୍ଚ୍ଚ ୧୯ତାରିଖ ଦିନ ଜୟପୁର ବ୍ଲକର ବାଲିଆ ପଂଚାୟତର ପୂର୍ବତନ ସମିତିସଭ୍ୟ ରାମକୃଷ୍ଣ ପୁଜାରୀ ନିଜ ପତ୍ନୀ ବିନୋଦିନୀ ପୁଜାରୀଙ୍କୁ ଘିଉରିସ୍ଥିତ ପ୍ରାଥମିକ ବିଦ୍ୟାଳୟକୁ ଛାଡିବାକୁ ବାଇକରେ ଯାଉଥିଲେ। ଅଚାନକ ଭାବେ ଉପରୋକ୍ତ ଅଭିଯୁକ୍ତଙ୍କ ସହ ଅନ୍ୟ କିଛି ଅଭିଯୁକ୍ତ ମାନେ ପୂର୍ବରୁ ଥିବା ରାଜ‌ନୈତିକ ଓ ପୁରୁଣା ଶତ୍ରୁତାକୁ ନେଇ  ବ୍ରିଜ୍ ନିକଟରେ ରାସ୍ତା ଅବରୋଧ କରି ରାମକୃଷ୍ଣଙ୍କୁ ଅଟକାଇଥିଲେ। ପ୍ରବଳ ଗାଳି ଗୁଳଜ କରିବା ସହ ସେମାନେ ଆଣିଥିବା ବିଭିନ୍ନ ମାରଣାସ୍ତ୍ର,ଖଣ୍ଡା, ଲୁହା ରଡ଼ ଆଦିରେ ଆତର୍କିତ ଭାବେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏସବୁ ଦେଖୁଥିବା ପ୍ରତ୍ୟକ୍ଷଦର୍ଶୀ ବିନୋଦିନୀଙ୍କୁ ବି ଆକ୍ରମଣ କରିବାକୁ ଏମାନେ ଉଦ୍ୟମ କରୁଥିଲେ ହେଁ କିଛି ‌ଜଣ ବିରୋଧ କରିବା ପରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏ ନେଇ ଉପରୋକ୍ତ ୭ଅଭିଯୁକ୍ତଙ୍କ ସହ ଅନ୍ୟ ୨୦ରୁ ଉର୍ଦ୍ଧ୍ବଙ୍କ ନାଁରେ ଜୟପୁର ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲେ। ପରେ ତଦନ୍ତ ଓଚାର୍ଜସିଟ୍ ଦାଖଲ ସମୟରେ ଏହି ୭ଜଣଙ୍କ ନାଁରେ ଦଫା ୧୪୭, ୩୪୧,୧୪୦, ୩୦୨, ୧୪୯ ଭାରତୀୟ ଦଣ୍ଡବିଧି ଆଇନରେ ମାମଲା ରୁଜୁ ହୋଇଥିଲା। ଉପରୋକ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରାଯାଇଥିଲା। ମାମଲା କୋର୍ଟରେ ପହଚିଂବା ପରେ ୬ଜଣଙ୍କ ସାକ୍ଷ୍ୟ ବୟାନ ନିଆଯାଇଥିଲା। ତେବେ ଉପଯୁକ୍ତ ତଦନ୍ତ ସହ ସାକ୍ଷ୍ୟ ତଥା ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତ ସୁକାନ୍ତ ମଣ୍ଡଳ, ପିତବାସ ମଣ୍ଡଳ, ଘାସି କୁମ୍ଭାର, ପୁରୁଷତି କୁମ୍ଭାର, ପୁର୍ଣ୍ଣ ପୁଜାରୀ, ଅର୍ଜୁନ ପ୍ରଧାନୀ, ଭଗବାନ ପରଜାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ପିଣ୍ଟୁ ମାଝୀ, ନାନାଜୀ ଆଚାରୀ, ରାଜକିଶୋର ପାତ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର