ପାଟଣାଗଡ଼: ଅନ୍ୟ ଜାତିରେ ବାହାର ହୋଇଥିଲେ ବୋଲି ମଲା ପରେ ବି ଅଛୁଆଁ ରହିଲେ। ଶବ ସତ୍କାର ପାଇଁ ପାଖ ମାଡ଼ିଲେନି ଜାତିଭାଇ। ୪ଘଣ୍ଟା ଧରି ଘରେ ପଡ଼ିରହିଥିଲା ମୃତଦେହ। ଶେଷରେ ଆଗେଇ ଆସିଥିଲେ ସ୍ବେଚ୍ଛାସେବୀମାନେ। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ମରୁଆଁ ପଞ୍ଚାୟତ ଗଞ୍ଜାଉଡ଼ାର ଗାଁର ସାଧୁ ବାଗ ପ୍ରଥମେ ସାମାଜିକ ରୀତି ନୀତିରେ ଉକିଆ ବାଗଙ୍କୁ ବାହା ହୋଇଥିଲେ। ପରେ ସେ ହାଡ଼ ବରିହା ନାମ୍ନୀ ଜଣେ ବିଞ୍ଝାଲ ଜାତିର ମହିଳାଙ୍କୁ ପ୍ରେମ ବିବାହ କରିଥିଲେ।

Advertisment

ଫଳରେ ତାଙ୍କ ପରିବାରକୁ ଜାତିଭାଇ ବାସନ୍ଦ କରିଥିଲେ। ସାଧୁ ତାଙ୍କ ଦୁଇ ପତ୍ନୀ ଓ ସନ୍ତାନମାନଙ୍କ ସହ ରହୁଥିଲେ। ବୁଧବାର ସାଧୁଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଥିଲା। ଏହା ଜଣାପଡ଼ିବା ପରେ ବି ଜାତିଭାଇ କେହି ପାଖକୁ ଆସି ନଥିଲେ। ଏପରିକି ବଲାଙ୍ଗୀରରେ ରହୁଥିବା ତାଙ୍କ ପୁଅ ବି ପହଞ୍ଚି ନଥିବା ସୂଚନା ମିଳିଛି। ପାଖରେ କେବଳ ଦୁଇ ପତ୍ନୀ ଓ ଝିଅମାନେ ଉପସ୍ଥିତ ଥିଲେ। ଖବର ପାଇ ସୁନୀଲ ସିଂହ, ଗିରିଧାରୀ ଭୋଇ, ରଞ୍ଜିତ ସାହୁ, ବିକାଶ ସାହୁ, ମଣ୍ଟୁ ବିଶି ପ୍ରମୁଖ ସ୍ବେଚ୍ଛାସେବୀ ଗଞ୍ଜାଉଡ଼ାର ଗାଁରେ ପହଞ୍ଚି ଶବକୁ କାନ୍ଧେଇ ନେଇ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ କରିଥିଲେ।