ଭୁବନେଶ୍ବର : ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସମ୍ପର୍କରେ ସୋମବାର ଦିନ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିବୃତି ରଖିଛନ୍ତି। ସେ କହିଛନ୍ତି, ଗତ ୧୨ ତାରିଖରେ କାଶୀପୁର ବ୍ଲକର ଟିକିରି ଗ୍ରାମରେ ଝାଡ଼ାବାନ୍ତି ହେବାର ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର ଆର୍ଆର୍ଟି ଅନୁସନ୍ଧାନ ଆରମ୍ଭ କରିଥିଲେ। ପ୍ରତିଦିନ ପାଣିର ନମୁନା ଓ ମଳ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ୯ଟି ପାଣି ନମୁନାରୁ ୩ଟି ପ୍ରଦୂଷିତ ଥିବା ପ୍ରମାଣ ମିଳିଛି। ଏହାର ଉତ୍ସ କୂଅ କିମ୍ବା ଘରେ ସାଇତା ରଖାଯାଇଥିବା ପାଣି ବୋଲି ଜଣାପଡ଼ିଛି। ଏଣୁ କାଶୀପୁରରେ ଝାଡାବାନ୍ତି ଦୂଷିତ ପାନୀୟ ଜଳରୁ ହୋଇଛି। ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ଅଟେ। ସରକାର ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଏବଂ ଏହାର ନିରାକରଣ ପାଇଁ ସମସ୍ତ ପଦକ୍ଷେପ ଜରୁରୀକାଳୀନ ଭିତ୍ତିରେ ନେଉଛନ୍ତି ବୋଲି ସେ ଦର୍ଶାଇଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ ସୂଚାଇଛନ୍ତି ଯେ ଜିଲ୍ଲାପାଳ, ସିଡିଏମ୍ଓ ମେଡିକାଲ୍ ଟିମ୍ ସହ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିହିତ ପଦକ୍ଷେପ ନେଉଛନ୍ତି। ଜିଲ୍ଲା ଓ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷ ଏବଂ ସମସ୍ତ ପ୍ରଭାବିତ ଗ୍ରାମରେ ସାମୟିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୫ଟି ମେଡିକାଲ ଟିମ୍ ମୁତୟନ କରାଯାଇ ଯୁଦ୍ଧକାଳୀନ ଭିତିରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଆକ୍ରାନ୍ତମାନଙ୍କୁ ଟିକିରି ପିଏଚ୍ସି ଓ ସିଏଚ୍ସି, ୟୁଏଏଲ୍ ହସ୍ପିଟାଲ, ରାୟଗଡା ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ରେ ଚିକିତ୍ସା କରାଯାଉଛି। ଯଥେଷ୍ଟ ପରିମାଣର ଓଆର୍ଏସ୍, ସାଲାଇନ୍, ଔଷଧ, ଇଞ୍ଜେକ୍ସନ, ବ୍ଲିଚିଂ ପାଉଡର, ହାଲୋଜିନ୍ ବଟିକା ମହଜୁଦ ରଖାଯାଇଛି। ପ୍ରଭାବିତ ଅଞ୍ଚଳରେ ଡାକ୍ତରୀଦଳ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାୟଗଡ଼ା ଜିଲ୍ଲାର ୨ଲକ୍ଷ ୫୨ ହଜାର ୮୬୦ଟି ପରିବାରର ୮ ଲକ୍ଷ ୩୮ ହଜାର ୮୭୫ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଜିଲ୍ଲାରେ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ସାମିଲ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା(୨୦୧୧ ମସିହା ଜନଗଣନା ଅନୁଯାୟୀ ) ଜିଲ୍ଲା ଜନସଂଖ୍ୟାର ୮୭%। କାଶୀପୁର ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ୪୩ ହଜାର ୧୪୨ ପରିବାରର ୧ଲକ୍ଷ ୩୬ ହଜାର ୯୦୭ ସଦସ୍ୟ ସାମିଲ ହୋଇଛନ୍ତି। ଏହି ସଂଖ୍ୟା ମୋଟ ଜନସଂଖ୍ୟାର ୯୭%। କାଶୀପୁର ବ୍ଲକର ଟିକିରି ପଞ୍ଚାୟତର ୩ ହଜାର ୪୦୫ ପରିବାରର ୧୦ ହଜାର ୫୧୪ ସଦସ୍ୟଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଇଛି। ଏହା ପଞ୍ଚାୟତ ମୋଟ ଜନସଂଖ୍ୟାର ୯୧%। ସେହିପରି ମୃତ ୭ ଜଣ ପରିବାର ମଧ୍ୟରୁ ୬ଟି ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରଯାଇଛି। ସେମାନଙ୍କୁ ନିୟମିତ ମାସିକ ରାସନ ସାମଗ୍ରୀ ସହ କୋଭିଡ୍ ମହାମାରୀ ସମୟରେ ୨୫ ମାସ ଧରି ଅତିରିକ୍ତ ଖାଦ୍ୟଶସ୍ୟ ସହିତ ଡାଲି ବିନା ମୁଲ୍ୟରେ ଯୋଗାଇ ଦିଆଯାଇଛି। ରାଜ୍ୟ ସରକାର ପରିବାରଙ୍କୁ ଦୁଇଟି ପର୍ଯ୍ୟାୟରେ ୧୦୦୦ ଟଙ୍କା ଲେଖାଏଁ କୋଭିଡ୍ ସମୟରେ ଜୀବିକା ନିର୍ବାହ ସହାୟତା ମଧ୍ୟ ଯୋଗାଇଛନ୍ତି।
ଆଶା, ସ୍ୱାସ୍ଥ୍ୟ କର୍ମଚାରୀ, ଏଏନ୍ଏମ୍, ଏନ୍ଜିଓମାନଙ୍କ ଦ୍ୱାରା ଶୁଦ୍ଧ ଓ ନିରାପଦ ପାନୀୟ ଜଳ ପିଇବା ପାଇଁ ପ୍ରଚାର କରାଯାଉଛି। ସ୍ୱାସ୍ଥ୍ୟ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପାଣିର ଉତ୍ସକୁ ବିଶୁଦ୍ଧ କରାଯାଉଛି। ପ୍ରଭାବିତ ଗ୍ରାମରେ ୪ଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଟ୍ୟାଙ୍କର ମାଧ୍ୟମରେ ଶୁଦ୍ଧ ପାନୀୟ ଜଳ ସମସ୍ତ ଗ୍ରାମରେ ଯୋଗାଇ ଦିଆଯାଉଛି। ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ କୋରାପୁଟରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ କାଶୀପୁରରେ ଡେରା ପକାଇଛନ୍ତି। ତ୍ବରିତ ଚିକିତ୍ସା ପାଇଁ ୟୁଏଆଇଏଲ୍ ହସ୍ପିଟାଲ୍ରେ ୫୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/niranjan-pujari.jpg)
