ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ବିଜେଡି ସଂଗଠନରେ ଦୀର୍ଘଦିନ ଧରି କୁହୁଳୁଥିବା ନିଆଁ ଆଜି ପଦାକୁ ଫୁଟି ବାହାରିଛି। ଏହି ବ୍ଲକ୍ରେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସମର୍ଥକଙ୍କୁ ନେଇ ସମାନ୍ତରାଳ ଦୁଇଗୋଷ୍ଠୀ ଗତ ଉପନିର୍ବାଚନ ସମୟରୁ ମୁଣ୍ଡ ଟେକିଥିଲେ ମଧ୍ୟ ଏହା ପ୍ରକାଶ୍ୟ ରୂପ ନେଇ ନଥିଲା। ଆଜି ଲଖନପୁର ବ୍ଲକ ସିଡିପିଓ ଅଫିସ୍ର ନୂତନ କୋଠା ଉଦ୍ଘାଟନ କାର୍ଯ୍ୟକ୍ରମରେ ଏହି ବିବାଦ ପଦାରେ ପଡ଼ିଛି। ବିଧାୟିକାଙ୍କ ପୂର୍ବରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲଖନପୁର ବ୍ଳକ୍ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ନୂତନ କୋଠାକୁ ଉଦ୍ଘାଟନ କରିଦେଇଛନ୍ତି।
ଲଖନପୁର ବ୍ଳକ୍ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ପୁରୁଣା କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ନୂତନ କୋଠା ନିର୍ମାଣ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୬ ଲକ୍ଷ ୧୧ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି ଟଙ୍କାରେ ନୂତନ କୋଠା ନିର୍ମିତ ହୋଇ ଦୀର୍ଘଦିନ ହେଲା ଉଦ୍ଘାଟନ ଅପେକ୍ଷାରେ ରହିଥିଲା। ତେବେ, ଆଜି ଅଚାନକ ଏହି କୋଠାକୁ ବିଧାୟିକା ଶ୍ରୀମତୀ ମହାନ୍ତି ଓ ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ବରୀ ତିହିରିଆ ପୃଥକ୍ ଭାବରେ ଦୁଇ ଥର ଉଦ୍ଘାଟନ କରିଥିଲେ।
ସୂଚନା ଅନୁସାରେ, କୋଠା ଉଦ୍ଘାଟନ ପାଇଁ ଆଜି ବିଧାୟିକାଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ତେବେ ସେ ଆସିବା ପୂର୍ବରୁ ହଠାତ୍ ସକାଳ ୮ଟାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତିହିରିଆ ଦଳବଳ ସହ ଆସି ଏହାକୁ ଉଦ୍ଘାଟନ କରି ଦେଇଥିଲେ। ସେ ଉଦ୍ଘାଟନ କରିଥିବା ଫଳକରେ ମନ୍ତ୍ରୀ ନବ ଦାସ, ସାଂସଦ ସୁରେଶ ପୂଜାରୀ ଓ ବିଧାୟିକା ଅଳକା ମହାନ୍ତିଙ୍କ ନାମ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମ ରହିଛି। ଏହାପରେ ଦିନ ୧୨ଟାରେ ବିଧାୟିକା ଶ୍ରୀମତୀ ମହାନ୍ତି ବ୍ଲକ୍ରେ ପହଞ୍ଚି ଏହି କୋଠାକୁ ପୁଣିଥରେ ଉଦ୍ଘାଟନ କରିଥିଲେ। ବିଧାୟିକା ଉଦ୍ଘାଟନ କରିଥିବା ଫଳକରେ ମନ୍ତ୍ରୀ ନବ ଦାସଙ୍କ ନାମକୁ ବାଦ୍ ଦିଆଯାଇଛି। ସେଥିରେ ବିଧାୟିକା ଶ୍ରୀମତୀ ମହାନ୍ତିଙ୍କ ନାମ ଓ ତାଙ୍କ ତଳକୁ ସାଂସଦ ଶ୍ରୀ ପୂଜାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ରହିଛି। ଫଳକରେ ମନ୍ତ୍ରୀ ନବ ଦାସଙ୍କ ନାମ ନଥିବା ଓ ଏହାକୁ ବିଧାୟିକା ଉଦ୍ଘାଟନ କରିଥିବା ଘଟଣା ଏବେ ବିଜେଡିର ବିବାଦକୁ ପଦାରେ ପକାଇଛି। ଏହି ଘଟଣା ଜିଲ୍ଲା ବିଜେଡି ରାଜନୀତିକୁ ସରଗରମ କରିଦେଇଛି।