ଜୟପୁର: ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର। ଜାମିନ ନାମାଞ୍ଜୁର ହେବାରୁ ଆଜି ତାଙ୍କୁ ୧୪ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଗତମାସ ୨୭ ତାରିଖରେ ନନ୍ଦପୁରର ମିନି ଭୈରବୀ ମହିଳା ସ୍ବୟଂ ସହାୟକ ଦଳର ଛତୁଆ ବାବଦର ୯ଲକ୍ଷ ୪୭ହଜାର ଟଙ୍କାର ବିଲ୍ ପାସ୍ କରିବା ପାଇଁ ୧ଲକ୍ଷ ୭୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରା ପଡ଼ିଥିଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର।
ଘଟଣାଦିନ ଅଭିଯୁକ୍ତା ସିଡିପିଓଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯିବା ପରେ ଭିଜିଲାନସ୍ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଶ୍ରୀକାନ୍ତ ମିଶ୍ରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ୭ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ରହିବାକୁ ନିର୍ଦେଶ ଦେଇଥିବାବେଳେ ଛୁଟିଦିନ ପଡିବାରୁ ବିଚାରଣା ହୋଇପାରିନଥିଲା। ଆଜି ବିଚାରଣା କରାଯାଇ ତାଙ୍କ ଜାମିନକୁ ନାମାଞ୍ଜୁର କରାଯାଇଛି। ଅଭିଯୁକ୍ତା ସିଡିପିଓଙ୍କ ନାଁରେ ଗତ ୨୦୧୬ମସିହାରେ ଆୟ ବର୍ହିଭୁତ ମାମଲା ବି ରୁଜୁ ହୋଇଥିଲାବେଳେ ଏହାର ପୁନଃବାର ଖୋଳତାଡ୍ କରାଯାଇଛି। ଏହି ମାମଲା ସମୟରେ ଭିଜିଲାନସ୍ ନିକଟରେ ଅଭିଯୁକ୍ତା ସିଡିପିଓ ଦାଖଲ କରିଥିବା ସ୍ଥାବର, ଅସ୍ଥାବର ସଂପତ୍ତି, ବ୍ୟାଙ୍କ ଓ ବୀମା ଆଦିର ପୁନଃ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ଏହାସହ ସେମିଳିଗୁଡାର ସତ୍ୟନଗରରେ ୨ମହଲାର କୋଠା, ପୁରୀର ଫ୍ଲାଟ୍ ସହ ନୂଆରେ ଏବେ ସେମିଳିଗୁଡା ମୁଖ୍ୟ ରାସ୍ତାରେ ୬୦ଲକ୍ଷରେ ଏକ ଘର ନିର୍ମାଣାଧୀନ ଥିବା ଭିଜିଲାନସ୍ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-cdpo-nandpur-750x430-1.jpg)