ଭୁବନେଶ୍ବର: ଖାଇବା ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ଏହି ସମୟରେ ପାମୋଲିନ୍ ତେଲ ଦର ଲିଟର ପ୍ରତି ୮୦ ଟଙ୍କା ଥିଲା ବେେଳ ଚଳିତ ବର୍ଷ ଲିଟର ପ୍ରତି ୧୨୬ ଟଙ୍କା ରହିଛି। ସେହିପରି ସୋରିଷ ତେଲ ୧୦୦ ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି। ଏହି ଦର ବୃଦ୍ଧିକୁ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ସ୍ବୀକାର କରିଛନ୍ତି। କିନ୍ତୁ ଏଥି ପାଇଁ କେନ୍ଦ୍ର ସରକାରଙ୍କ ଉପରେ ସିଧାସଳଖ ଦୋଷାରୋପ କରିଛନ୍ତି। ମନ୍ତ୍ରୀଙ୍କ ଯୁକ୍ତି ରହିଛି ଯେ ଖାଇବା ତେଲ ଉପରେ କେନ୍ଦ୍ର ସରକାର ୨୧% ଆମଦାନୀ ଶୁଳ୍କ ଓ ୫% ଜିଏସ୍ଟି ନେଉଛନ୍ତି। ଚଳିତ ବଜେଟ୍ରେ ପାମୋଲିନ୍ ତେଲ ଉପରେ ୧୭.୫% କୃଷି ଭିତ୍ତିଭୂମି ଶୁଳ୍କ ଲାଗୁ କରିଥିଲା ବେଳେ ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ୨୦% କୃଷି ଭିତ୍ତିଭୂମି ଶୁଳ୍କ ଲାଗୁ କରିଛନ୍ତି। ଏହା ବାଦ୍ କେନ୍ଦ୍ର ସରକାର ଖାଇବା ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ନିୟନ୍ତ୍ରଣମୁକ୍ତ କରିଛନ୍ତି। ତେଲ ଦର ବୃଦ୍ଧିର ଏସବୁ ଗୋଟିଏ ଗୋଟିଏ ପ୍ରମୁଖ କାରଣ।
କେନ୍ଦ୍ରକୁ କଟାକ୍ଷ କରି ମନ୍ତ୍ରୀ କହିଥିଲେ, ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଶିକ୍ଷା ଓ କୃଷି ସେସ୍ ଲଗାଇ ଆସୁଛନ୍ତି। ଆଜି ପର୍ଯ୍ୟନ୍ତ ହିସାବ ନାହିଁ ଯେ ଆଦାୟ ହେଉଥିବା ହଜାର ହଜାର କୋଟି ଟଙ୍କାରୁ କେତେ ପାଣ୍ଠି ଶିକ୍ଷା ଓ କୃଷି ପାଇଁ ଅଲଗା ଭାବେ ବିନିଯୋଗ ହୋଇଛି। ସେହିପରି ସରକାର ଏବେ ଲଗାଇଥିବା କୃଷି ଭିତ୍ତିଭୂମି ଶୁଳ୍କ କିପରି ଉପଯୋଗ ହେବ, ତାହା କେବଳ ଭଗବାନ ହିଁ କହିବେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦ୍ବାରା ‘ଖାଇବା ତେଲର ଅତ୍ୟଧିକ ଦର ବୃଦ୍ଧି, ଅପମିଶ୍ରଣ ଓ ବ୍ୟାପକ କଳାବଜାର ଯୋଗୁ ସାଧାରଣ ଜନତା ହନ୍ତସନ୍ତ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଆଲୋଚନା ଆରମ୍ଭ କରି ଶ୍ରୀ ବାହିନୀପତି କହିଲେ ଯେ ତୈଳବୀଜ ଉତ୍ପାଦନ ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କିଛି କରି ନାହାନ୍ତି। ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡ଼ୁଛି। ଆମ ଦେଶରେ ବର୍ଷକୁ ଏକ କୋଟି ୯୦ ଲକ୍ଷ ମେଟ୍ରିକ୍ ଟନ୍ ତେଲ ଆବଶ୍ୟକ ପଡ଼ୁଛି। ସେଥିରୁ ୬୦ ଲକ୍ଷ ମେଟ୍ରିକ୍ ଟନ୍ ଦେଶ ଭିତରେ ଉତ୍ପାଦନ ହେଉଛି। ବାକିତକ ବାହାର ଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଖାଇବା ତେଲ ଉପରେ କେନ୍ଦ୍ର ସରକାର ସମସ୍ତ ଟିକସ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଥିଲେ ଯେ ୪୪% ଟିକସ ନେବା ରାଜ୍ୟ ଓ ଦେଶବାସୀଙ୍କର ତଣ୍ଟି ଚିପିଲା ପରି। ଅପମିଶ୍ରଣ ଦିନକୁ ଦିନ ବଢ଼ିଚାଲିଛି। ଅଥଚ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେଉ ନାହାନ୍ତି। ଯେଉଁମାନେ ଅପମିଶ୍ରଣ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ ଯେ ଅଣ୍ଡା, ମାଛ, ପନିପରିବା ଆଦି ଆମେ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରୁଛୁ। ଗୋଟିଏ ଅଏଲ୍ ଓଡ଼ିଶା ଥିଲା ଖୋର୍ଦ୍ଧାରେ। ତାହା ଦୀର୍ଘ ଦିନରୁ ବନ୍ଦ ହୋଇ ପଡ଼ିଛି। ରାଜ୍ୟରେ ଅପମିଶ୍ରିତ ପନିର ଠାରୁ ଆରମ୍ଭ କରି ଖାଇବା ତେଲ, ଘିଅ ଦିନକୁ ଦିନ ବଢ଼ିଚାଲିଛି। ଅପମିଶ୍ରଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। େତୖଳବୀଜ ଉତ୍ପାଦନ ବଢ଼ାଇବା ପାଇଁ ଯୋଗାଣ ଓ କୃଷି ବିଭାଗର ଏକ ସଚିବ ସ୍ତରୀୟ ସମନ୍ବୟ କମିଟି କରି ସରକାର ଅନୁଧ୍ୟାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଲେ ଯେ ରାଜ୍ୟରେ ଖାଉଟି ଫୋରମ୍ଗୁଡ଼ିକ ଅକାମୀ େହାଇ ପଡ଼ିଛି। ଖାଉଟିଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ବିଜେପି ସଭ୍ୟ ନାଉରୀ ନାୟକ କହିଲେ ଯେ ଖାଇବା ତେଲ ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦି ରାଜ୍ୟ ସରକାର ଖସିଯିବାକୁ ବସିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ଆବଶ୍ୟକତା ଅନୁସାରେ ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ପଦବି ଖାଲି ପଡ଼ିଛି। ମାତ୍ର ୩୦ ଜଣ ଅଧିକାରୀରେ କାମ ଚାଲିଛି।
ଆଲୋଚନାରେ ଭାଗ ନେଇ ବିଜେଡି ସଭ୍ୟ ଭୂପିନ୍ଦର ସିଂହ କହିଲେ ଯେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ୍ରୁ ଖାଇବା ତେଲକୁ ବାଦ୍ ଦେଲା ପରେ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏହା ଫଳରେ ବଡ଼ ବଡ଼ ବ୍ୟବସାୟୀମାନେ କଳାବଜାରୀ କରି ସାମଗ୍ରୀ ମହଜୁଦ୍ ରଖୁଛନ୍ତି। ବିେଜଡି ସଭ୍ୟ ଭାଗିରଥୀ ସେଠୀ କହିଲେ ଯେ କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଟିକସ ଯୋଗୁ ଖାଇବା ତେଲ ଦର ନିୟନ୍ତ୍ରଣ ବାହାରକୁ ଯାଉଛି। ବିଜେପି ବନ୍ଧୁମାନଙ୍କୁ ଅନୁରୋଧ ଏହି ଟିକସ କମାଇବାକୁ ସେମାନେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ। ବିଜେଡି ସଭ୍ୟ ଅଶ୍ବିନୀ ପାତ୍ର ଓ ପ୍ରମୋଦ ମଲ୍ଲିକ ଆଲୋଚନାରେ ଭାଗ ନେଇଥିଲେ।