ଅଫିସର୍‌ମାନଙ୍କୁ ତାଗିଦ୍ କଲା କେନ୍ଦ୍ର: ସାଂସଦ, ବିଧାୟକଙ୍କ ପ୍ରତି ଆଚରଣ ଠିକ୍‌ ରହୁ

ମୁଖ୍ୟ ଶାସନ ସଚିବଙ୍କୁ ଚିଠି, ୨୦୧୧ର ଗାଇଡ୍‌ଲାଇନ୍‌କୁ ପାଳନ କରିବା ଉପରେ ଗୁରୁତ୍ବ

ଭୁବନେଶ୍ବର : ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉ ନଥିବା ଅଭିଯୋଗ ବାରମ୍ବାର ହେଉଛି। ଜନପ୍ରତିନିଧିଙ୍କ ଚିଠି ଉପରେ କୌଣସି ପଦକ୍ଷେପ ନେବା ତ ଦୂରର କଥା, ପ୍ରାପ୍ତି ସ୍ବୀକାର ଦେବାକୁ ବି ଅଫିସର୍‌ମାନେ ଉଚିତ ମଣୁନାହାନ୍ତି। ଓଡ଼ିଶା ବିଧାନସଭାରେ ଏହାକୁ ନେଇ ତମ୍ବିତୋଫାନ ବି ହୋଇଛି। କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ଏମିତି ଘଟଣା ଲଗାତର ଭାବେ ଘଟିଚାଲିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ସାଂସଦ ଓ ବିଧାୟକମାନଙ୍କ ପ୍ରତି ଜିଲ୍ଲାରୁ ରାଜ୍ୟ ପର୍ଯ୍ୟନ୍ତ ସବୁ ଅଫିସର୍‌ମାନଙ୍କ ଆଚରଣ ଯେପରି ଠିକ୍ ରହେ, ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ତାଗିଦ୍ କରାଯାଇଛି।

ଜନପ୍ରତିନିଧିଙ୍କ ପ୍ରତି ଅଫିସରମାନଙ୍କ ଆଚରଣ କିପରି ରହିବ, ସେଥି ପାଇଁ କେନ୍ଦ୍ର ସରକାର ୨୦୧୧ ମସିହାରେ ଏକ ବିସ୍ତୃତ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଥିଲେ। ଏହାକୁ ମାନିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ଏହା ସତ୍ତ୍ବେ ବହୁ ସମୟରେ ଜନପ୍ରତିନିଧିମାନଙ୍କୁ ଅଫିସର୍‌ମାନେ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରୁ ନଥିବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଗାଇଡ୍‌ଲାଇନ୍ ସମ୍ପର୍କରେ ସଚେତନ କରାଇ ଦିଆଯାଉଛି। ଗତ ସପ୍ତାହରେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏମିତି ଚିଠି ଲେଖାଯାଇ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି ଯେ, ସାଂସଦ ଓ ବିଧାୟକଙ୍କୁ ସରକାରୀ ଅଫିସରମାନେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବେ। ସେମାନଙ୍କ କଥାକୁ ଧ୍ୟାନପୂର୍ବକ ଶୁଣିବେ ଏବଂ ଏହା ଉପରେ ବିଚାର କରି ଆଇନ ଅନୁଯାୟୀ ଉପଯୁକ୍ତ ନିଷ୍ପତ୍ତି ନେବେ। ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରିବା ଓ ତାଙ୍କୁ ବିଦା କରିବାବେଳେ ନିଜ ଆସନରେ ଠିଆ ହୋଇ ଅଫିସରମାନେ ସମ୍ମାନ ଜଣାଇବେ। ସାଂସଦ ଓ ବିଧାୟକଙ୍କ ଫୋନ୍ କଲ୍‌କୁ ଅଫିସର୍‌ମାନେ ନିଶ୍ଚିତ ରିସିଭ୍ କରିବେ। ଯଦି ସେମାନେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବେ, ତେବେ ପରବର୍ତ୍ତୀ ସମୟରେ ଫୋନ୍‌ କରି ଯୋଗାଯୋଗ କରିବେ। କୌଣସି ସରକାରୀ ସଭାସମିତିକୁ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କଲା ବେଳେ ସେଠାରେ ଉପଯୁକ୍ତ ପ୍ରୋଟୋକଲ୍‌ ପାଳନ କରିବେ। ଯଦି ଏସବୁର ଉଲ୍ଲଂଘନ ହୋଇଥିବାର ପ୍ରମାଣ ମିଳେ, ତେବେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ଅଫିସର୍‌ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର