ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ଦାବି ନେଇ ଚାଲିଥିବା ଆନ୍ଦୋଳନ ସମୟରେ ଗତ ୨୦୨୨ ଡିସେମ୍ବର ୧୨ରେ ଯେଉଁଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ଓ ତତ୍ ପରବର୍ତ୍ତୀ ଘଟଣାବଳୀକୁ ନେଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠାକୁ ନେଇ ଶଙ୍କା ଓ ଆଶଙ୍କା ସୃଷ୍ଟି ହେଇଥିଲା। ଏହାକୁ ନେଇ ଗତ ୨୧ ଡିସେମ୍ବର ୨୦୨୨ରେ ସଂସଦରେ ତାଙ୍କ ଦାବି ଓ ବକ୍ତବ୍ୟକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ୨୭ ଜାନୁଆରିରେ ରଖିଥିବା ଉତ୍ତର ପରେ ଏହି ଆଶଙ୍କା ଦୂର ହୋଇଛି ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି।
କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜିଜୁ ବରଗଡ଼ ସାଂସଦ ଶ୍ରୀ ପୂଜାରୀଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ଯେ ଯଶବନ୍ତ ସିଂହ କମିସନ ଏବଂ ଗତ ୨୦୦୦ ମସିହାରେ ସୁପ୍ରିମ କୋର୍ଟଙ୍କ ଡବ୍ଲୁପି(ସି) ସଂଖ୍ୟା ୩୭୯ର ଆଦେଶ ଅନୁସାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରାଯାଇଥାଏ। ତେବେ ଏଥି ନିମନ୍ତେ ସଂପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳଙ୍କ ସମ୍ମତି ସହିତ ସଂପୃକ୍ତ ରାଜ୍ୟ ସରକାର ଭିତ୍ତିଭୂମି ଓ ଆବଶ୍ୟକ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଥିବା ନେଇ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ଆବଶ୍ୟକ ହୋଇଥାଏ। ଓଡ଼ିଶା ସରକାର ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
କେନ୍ଦ୍ର ସରକାର ମଧ୍ୟ ଗତ ୭ ଏପ୍ରିଲ ୨୦୨୨ରେ ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ନେଇ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ସେ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କଠାରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରୁ ଆସିନାହିଁ। ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଆବଶ୍ୟକ ଜମି, ହାଇକୋର୍ଟ ପାଇଁ କୋଠା, ବିଚାରପତି ଏବଂ କର୍ମଚାରୀମାନଙ୍କ ରହିବା ବ୍ୟବସ୍ଥା ଦିଗରେ ଓଡ଼ିଶା ସରକାର ଏବଂ ଓଡ଼ିଶା ହାଇକୋର୍ଟ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ସହିତ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ କେନ୍ଦ୍ର ସରକାର ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଳେଖ କରିଥିବା ଶ୍ରୀ ପୂଜାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/rijuji.jpg)