ଅଣ୍ଡା ଉତ୍ପାଦନ କରିବ ବତକ କେନ୍ଦ୍ର: ରାଜ୍ୟର ପ୍ରଥମ ବତକ ପ୍ରଜନନ କେନ୍ଦ୍ର

ଅଢ଼େଇବର୍ଷ ବନ୍ଦ ପରେ ମାର୍ଚ୍ଚରୁ କାର୍ଯ୍ୟକ୍ଷମ

କଟକ: ଅଢ଼େଇବର୍ଷ ବନ୍ଦ ରହିବାପରେ ଗତ ମାର୍ଚ୍ଚରୁ କାର୍ଯ୍ୟକ୍ଷମ ହୋଇଛି କଟକ ଖପୁରିଆସ୍ଥିତ ରାଜ୍ୟର ପ୍ରଥମ ବତକ ପ୍ରଜନନ କେନ୍ଦ୍ର। ସେଥିରୁ ଆଜି ସୁଦ୍ଧା ତିନୋଟି ପର୍ଯ୍ୟାୟରେ ପାଖାପାଖି ୬ହଜାର ବତକ ଚିଆଁ ଉତ୍ପାଦନ କରାଯାଇ ଚାଷୀଙ୍କୁ ବିକ୍ରି କରାଯାଇଛି। ଆଗକୁ ବତକ ପ୍ରଜନନ କେନ୍ଦ୍ରକୁ ଅଧିକ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଯୋଜନା କରାଯାଇଥିବା ଜଣାପଡ଼ିଛି। ବତକ ପ୍ରଜନନ କେନ୍ଦ୍ରର ପୁନରୁଦ୍ଧାର ପରେ ତିନୋଟି ପର୍ଯ୍ୟାୟରେ ୬ହଜାର ବତକ ଚିଆଁ ଉତ୍ପାଦନ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ବତକ ଚିଆଁ କିଣିଛନ୍ତି। ବତକ ଅଣ୍ଡା ପାଇଁ ବେଙ୍ଗାଲୁରୁ ସଂସ୍ଥାରୁ ୩ ହଜାର ବତକ ଅଣ୍ଡା ଅଣାଯାଇଛି। ଚାଷୀଙ୍କୁ ବତକ ଚିଆଁ ଗୋଟା ୩୮ଟଙ୍କାରେ ଏବେ ବିକ୍ରି କରାଯାଉଛି। ‌ତେବେ ଆଗକୁ ବେଙ୍ଗାଲୁରୁ ସଂସ୍ଥାରୁ ନକିଣି ନିଜସ୍ବ ଅଣ୍ଡା କିପରି ପ୍ରସ୍ତୁତ କରାଯିବ ସେ ଦିଗରେ କାର୍ଯ୍ୟ କରାଯିବ।

ସୂଚନା ଅନୁସାରେ, ପ୍ରଜନନ କେନ୍ଦ୍ରରେ ଚାଷୀଙ୍କୁ ଚିଆଁ ତଥା ବତକ ପାଳନ ସମ୍ପର୍କିତ ତାଲିମ ଦେବା ପ‌ାଇଁ ୪ଟି ପ୍ରଜାତିର ବତକ ରଖାଯିବ। ଇତିମଧ୍ୟରେ ଖାକି କ୍ୟାମ୍ପେଲ୍‌ ଓ ହ୍ବାଇଟ୍‌ ପେକିନ୍‌ ପ୍ରଜାତିର ବତକ ଅଣାସରିଥିବାବେଳେ କୁଜି ଓ ଚମ୍ପେଲି ପ୍ରଜାତିର ବତକ ଅଣାଯିବ। ଖାକି କ୍ୟାମ୍ପେଲ୍‌ ପ୍ରଜାତିର ବତକ ଅଣ୍ଡାଦିଆ ହୋଇଥିବା ବେଳେ ମାଂସ ମଧ୍ୟ ଖାଇ ପାରିବେ। ସେହିପରି ହ୍ବାଇଟ୍‌ ପେକିନ୍‌ ବ୍ରଏଲର୍‌ ପ୍ରଜାତିର, କୁଜି ଦେଶୀ ବ୍ରିଡ୍‌ ବୋଲି ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏସବୁକୁ ବ୍ୟବସ୍ଥିତ କରାଯାଇ ଏହାକୁ ସ୍ବୟଂସମ୍ପୂର୍ଣ୍ଣ ତଥା ଚାଷୀଙ୍କ ପାଇଁ ଲାଭଦାୟକ କରାଯିବ। ସେ ନେଇ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଭୁରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୭ରେ ରାଜ୍ୟର ଏହି ପ୍ରଥମ ବତକ ପ୍ରଜନନ କେନ୍ଦ୍ର ଖପୁରିଆଠାରେ ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ ବାହାରୁ ଚାଷୀମାନେ ଆସି ଏଠାରୁ ଚିଆଁ ନେଉଥିଲେ। ତେବେ ଅଢ଼େଇ ବର୍ଷ ତଳେ ଲଗାଣ ବର୍ଷାରେ କେନ୍ଦ୍ର ପରିସର ନର୍ଦ୍ଦମା ପାଣିରେ ଉବୁଟୁବୁ ହୋଇ ୪୫୦ରୁ ଅଧିକ ମା’ ବତକଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଏଭଳି ସମସ୍ୟା କେବେ ଉପୁଜି ନଥିଲା। ହାଚେରି ମେସିନରେ ପାଣି ପଶି ଅଚଳ ଅବସ୍ଥାରେ ପଡ଼ି ରହିଥିଲା। କଟକ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି କେନ୍ଦ୍ର ପୂର୍ବଭଳି ସରକାରୀ ସ୍ତରରେ ପରିଚାଳନା କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର