ପୁରୀ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଛି । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏହାକୁ ଉଦଘାଟନ କରିଥିଲେ। ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳା ପରିସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜନଜାତି ସମ୍ପ୍ରଦାୟ ଦ୍ବାରା ପ୍ରସ୍ତୁତ ବନ୍ୟଜାତ, କୃଷି ଓ ପାରମ୍ପରିକ ସାମଗ୍ରୀର ଷ୍ଟଲ୍ ମଧ୍ୟ ପଡ଼ିଛି । ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଅନୁଷ୍ଠିତ ମେଳାକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଭାରତର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହି ମେଳା ସହାୟକ ହେବ। ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି ସାମଗ୍ରୀ, କୃଷି ଉତ୍ପାଦକୁ ଲୋକେ କିଣିପାରିବେ। କୃଷି କ୍ଷେତ୍ରରେ ଅଭିନବ ଉଦ୍ଭାବନ ଏବଂ ଜ୍ଞାନକୌଶଳ ବିଷୟରେ ଜ୍ଞାନ ଆହରଣ ମଧ୍ୟ ଏହି ମେଳାରୁ କରିହେବ। ଜନଜାତି, ଲୋକକଳା ସଂସ୍କୃତି ବିଷୟରେ ଜ୍ଞାନବୃଦ୍ଧି ନିମନ୍ତେ ଏହି କାର୍ଯ୍ୟକ୍ରମ ସୁଅବସର ଆଣିଛି । ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟତମ ଅତିଥି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ। ଏଠାରେ ୬୨ ଜନଜାତି ସମ୍ପ୍ରଦାୟର ଲୋକ ରହୁଛନ୍ତି। ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । କିଛି ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ବିଶେଷ ପ୍ରଗତି ହାସଲ କରିଛି । ଜନଜାତି ସମୁଦାୟର ଜୀବନଶୈଳୀ, ଜୀବିକା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଲୋକମେଳା ଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ ।
/sambad/media/post_attachments/wp-content/uploads/2022/06/2-18.jpg)
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1-25.jpg)