ୟୁପିଏର ତୈଳ ବଣ୍ଡ୍‌ ନା ମିଛ କହୁଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ବର : କେନ୍ଦ୍ର ସରକାର କରୋନା ମହାମାରୀ ନିୟନ୍ତ୍ରଣରେ ବିଫଳ ହୋଇଥିବା ବେ‌ଳେ ମହାଙ୍ଗାମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଦେଶର ୪ଟି ମେଟ୍ରୋ ସହିତ ୨୫୦ ସହରରେ ପେଟ୍ରୋଲ ଲିଟର ପିଛା ଶହେ ପାର୍ କରି ସାରିଛି। ମାତ୍ର କେନ୍ଦ୍ର ସରକାର ୟୁପିଏ ଅମଳରେ ଜାରି ହୋଇଥିବା ତୈଳ ବଣ୍ଡକୁ ଏଥି ପାଇଁ ଦୋଷ ଦେଇ ଖସିଯିବାକୁ ବସିଛନ୍ତି। ‌ମୋଦୀ ସରକାର ତେଲ ଉପରେ ଏକ୍ସାଇଜ୍ ଓ ସେସ୍ ବାବଦରେ ୨୫ ଲକ୍ଷ କୋଟି ଟଙ୍କା ଆଦାୟ କରି ସାରିଲେଣି। ତେଣୁ ଏହି ମିଛ ନାଟକବାଜିରୁ କେନ୍ଦ୍ର ସରକାର ନିବୃତ୍ତ ରହିବା ଲାଗି କହିଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସୁସ୍ମିତା ଦେବ।

ଶୁକ୍ରବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦେବ କହି‌ଲେ ଯେ ୨୦୦୪ରୁ ୨୦୧୪ ମସିହା ଭିତରେ କଂଗ୍ରେସ ସରକାର ୧ଲକ୍ଷ ୪ହଜାର କୋଟିର ତୈଳ ବଣ୍ଡ ଇସ୍ୟୁ କରିଥିଲେ। ମାତ୍ର ବିଜେପି ସରକାର ଆଜି ପର୍ଯ୍ୟନ୍ତ ୩୫୦୦ କୋଟି ଅଏଲ ବଣ୍ଡ ପରିଶୋଧ କରିଛନ୍ତି। ତୈଳ ବଣ୍ଡର ସୁଧ ହିସାବରେ ୯୯୮୯ କୋଟି ପ୍ରତି ବର୍ଷ ପରିଶୋଧ କରୁଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୭୧ ହଜାର ୧୯୮ ହଜାର କୋଟି ତୈଳ ବଣ୍ଡ ଓ ସୁଧ ପୈଠ କରିବେ। ମାତ୍ର ଏହା ଭିତରେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲରୁ ୨୫ଲକ୍ଷ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି। ୨୦୧୪ ମସିହାରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୧୦୮ ଡଲାର ଥିବା ବେଳେ ପେଟ୍ରୋଲ ଦର ଥିଲା ୬୫-୭୦ ଟଙ୍କା। ମାତ୍ର ବର୍ତମାନ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର ହ୍ରାସ ପାଇଥିବା ବେଳେ ତୈଳ ଦର ‌ଶହେ ପାର କଲାଣି। ମୋଦୀ ସରକାର ୟୁପିଏ ତୁଳନାରେ ପେଟ୍ରୋଲ ଉପରେ ୩୦୦ ପ୍ରତିଶତରୁ ଅଧିକ କେନ୍ଦ୍ରୀୟ ଶୁଳ୍କ ଆଦାୟ କରୁଥିବା ବେଳେ ଡିଜେଲ ଉପରେ ୮୯୩ ପ୍ରତଶତ କେନ୍ଦ୍ରୀୟ ଶୁଳ୍ପ ଆଦାୟ କରୁଛନ୍ତି। ତେଣୁ ଯଥାଶୀଘ୍ର ପେଟ୍ରୋଲ, ଡିଜେଲ ଓ ଜାଳେଣୀ ଗ୍ୟାସ ଦରଦାମ କମ୍ କରିବା ସହିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରନ୍ତୁ ବୋଲି ଶ୍ରୀମତୀ ଦେବ କହିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ୨୦୧୩ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦୀ ପେଟ୍ରୋଲ, ଡିଜେଲ ଦରକୁ ଯେଉଁମାନେ ବୃଦ୍ଧି କରୁଛନ୍ତି ସେମାନଙ୍କୁ ଦେଶଦ୍ରୋହୀ କହିଥିଲେ। ମାତ୍ର ଏବେ ଦେଶଦ୍ରୋହୀ କିଏ କଂଗ୍ରେସ ନା ମୋଦୀ ମହାଶୟ। ମୋଦୀ ସରକାର ୩ ପ୍ରତିଶତ ପୁଞ୍ଜିପତିଙ୍କ ସ୍ବାର୍ଥ ରକ୍ଷା ପାଇଁ ୭ ବର୍ଷ ହେଲା ଉଦ୍ୟମ ଚଳାଇଛନ୍ତି। ସେମାନଙ୍କୁ କୋଟି କୋଟି ଟଙ୍କାର ଟିକସକୁ କମାଇ ଦିଆଗଲା। ମାତ୍ର ଏହି କ୍ଷତିକୁ ଭରଣା କରିବା ଲାଗି ପେଟ୍ରୋଲ, ଡିଜେଲ ଉପରେ ଦରଦାମ ବୃଦ୍ଧି କରି ଭରଣା କରିବା କ’ଣ ଆଚ୍ଛେଦିନର ଉଦ୍ଦେଶ୍ୟ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏଆଇସିସି ସମ୍ପାଦକ ସପ୍ତଗିରି ଉଲାକା ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ସହିତ ଲଢ଼େଇ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ, ଓଡ଼ିଶା ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ଓ ମହିଳା କଂଗ୍ରେସ ପ୍ରଭାରୀ ନୀତା ଡିସୋଜା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର