ଭୁବନେଶ୍ବର: ଚାଷୀଙ୍କଠାରୁ ଧାନ କିଣିବା ଦାୟିତ୍ବ ମୁଖ୍ୟତଃ କେନ୍ଦ୍ର ସରକାରଙ୍କର। ଧାନ ସଂଗ୍ରହ ପ୍ରସଙ୍ଗରେ ଆଜି ନୂଆ ଦିଲ୍ଲୀରେ ବିଜେପି ସାଂସଦମାନେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧାନ କିଣାରେ ରାଜ୍ୟ ସରକାର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି କହିଥିବା ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଛନ୍ତି, ଏଫ୍ସିଆଇ ମାଧ୍ୟମରେ କେନ୍ଦ୍ର ସରକାର ଚାଷୀଙ୍କ ଧାନ କିଣନ୍ତି। କେବଳ ଏଜେଣ୍ଟ୍ ଭାବରେ ରାଜ୍ୟ ସରକାର ଧାନ ସଂଗ୍ରହ କରୁଛନ୍ତି। ଏବେ ଧାନ କିଣା ନେଇ ମାଲିକ ଓ ଏଜେଣ୍ଟ୍ ପରସ୍ପର ଦୋଷ ଲଦାଲଦି ହେଉଛନ୍ତି।
ଏ ପ୍ରହସନ କାହିଁକି? ଯଦି କେନ୍ଦ୍ର ସରକାର ଅନୁଭବ କରୁଛନ୍ତି କି ତାଙ୍କ ଏଜେଣ୍ଟ ତାଙ୍କୁ ଭୁଆଁ ବୁଲାଉଛି ବୋଲି ତାହେଲେ ସେ ଏଜେଣ୍ଟକୁ କାହିଁକି ହଟାଇ ଦେଉନାହାନ୍ତି। ସିଧାସଳଖ ଏଫ୍ସିଆଇ ମାଧ୍ୟମରେ ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି କାହିଁକି? ଠିକ ସେହିପରି ଯଦି ରାଜ୍ୟ ସରକାର ଅନୁଭବ କରୁଛନ୍ତି କେନ୍ଦ୍ର ସରକାର ଧାନ କିଣା ବାବଦ ଅର୍ଥ ଦେଉନାହାନ୍ତି ତାହେଲେ ଏଜେଣ୍ଟ୍ ଭୂମିକାରୁ ଓହରିଯିବା ଦରକାର। ୨୦୦୨ ମସିହାରେ ନକୁଳ ମେର୍ଲୀ ବନାମ୍ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କ ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟରେ ଚାଷୀମାନଙ୍କଠାରୁ ଧାନ କିଣିବା ଦାୟିତ୍ବ ସମ୍ପୂର୍ଣ୍ଣ ଏଫ୍ସିଆଇର ବୋଲି ଶ୍ରୀ ମିଶ୍ର ଦର୍ଶାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/narasingha-mishra-11d11a40-db66-4864-a792-4fbad094d39-resize-750.jpeg)