ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର ସରକାର: ଓଡ଼ିଶାକୁ ଦେଇନି ୭୫୦ କୋଟି, ମଜୁରି ଟଙ୍କା ବି ବାକି

ଭୁବନେଶ୍ବର : ଚଳିତ ବଜେଟ୍‌ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟି ଅର୍ଥାତ୍‌ ୧୩ ପ୍ରତିଶତ ହ୍ରାସ କରି ଦିଆଯାଇଛି। ଏହାକୁ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଣେ କିନ୍ତୁ ମନରେଗା ବାବଦର ରାଜ୍ୟର ୭୫୦ କୋଟି ଟଙ୍କା କେନ୍ଦ୍ର ଦେଇ ନାହିଁ। ଏଥିରୁ କେବଳ ମଜୁରି ବାବଦ ଅର୍ଥ ୪୫୦ କୋଟି ଏବଂ ଉପକରଣ ବାବଦରେ ୩୦୦ କୋଟି ଟଙ୍କା ବାକି ପଡ଼ିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କେବଳ ଚଳିତ ବର୍ଷ ନୁହେଁ, ଗତବର୍ଷ ମଧ୍ୟ ପ୍ରାୟ ୧ ହଜାର କୋଟିର ମନରେଗା ଅର୍ଥ କେନ୍ଦ୍ର ସରକାର ଦେବାକୁ ବିଳମ୍ବ କରିବାରୁ ମଜୁରି ବାବଦ ଟଙ୍କା ରାଜ୍ୟ ସରକାର ସେତେବେଳେ ବହନ କରିଥିବା କୁହାଯାଇଥିଲା।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଆଜିର ତାରିଖ ସୁଦ୍ଧା ମନରେଗା ଅନ୍ତର୍ଗତରେ ରାଜ୍ୟରେ ୧ ଲକ୍ଷ ୮୭ ହଜାର ୫୩୪ଟି ପ୍ରକଳ୍ପ ଚାଲୁଛି। ସମୁଦାୟ ୭୧୧.୨୨ଲକ୍ଷ ଶ୍ରମିକଙ୍କ କାର୍ଯ୍ୟ ଯୋଗାଇ ଦିଆଯାଇଛି। ଏଥିରେ ୪୦% ଅନୁସୂଚିତ ଜନଜାତି, ୧୬% ଅନୁସୂଚିତ ଜାତି ବର୍ଗର। ମଜୁରି ଏବଂ ପ୍ରକଳ୍ପ ଉପକରଣ ବାବଦରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଟଙ୍କା ଦିଆଯାଏ। ଗତବର୍ଷ ଓଡ଼ିଶା ପକ୍ଷରୁ ମନରେଗା ବାବଦରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ନିୟମ ଅନୁଯାୟୀ, ମନରେଗାରେ କାର୍ଯ୍ୟରତ ଶ୍ରମିକଙ୍କୁ ସେହି ଦିନ ଟଙ୍କା ଦିଆଯିବା ଉଚିତ। ଅତି ବେଶିରେ ଏକ ସପ୍ତାହ ମଜୁରି ବିଳମ୍ବ ହୋଇପାରେ। ଗତବର୍ଷ ୬୬୯୮ କ୍ଷେତ୍ରରେ ଏହା ବିଳମ୍ବିତ ହୋଇଥିଲା। ପ୍ରକୃତରେ କେବଳ ଓଡ଼ିଶା ନୁହେଁ, ଗତବର୍ଷ ଭାରତ ସରକାରଙ୍କ ପକ୍ଷରୁ ମନରେଗା ବାବଦରେ ଯେଉଁ ୭୩ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ସେଥିରୁ ୧୮ ହଜାର ୩୫୦ କୋଟି ବର୍ତ୍ତମାନ ମଧ୍ୟ ସରକାରଙ୍କ ପାଖରେ ପଡ଼ି ରହିଛି। ପଶ୍ଚିମବଙ୍ଗ ଭଳି ରାଜ୍ୟକୁ କୌଣସି ଅନୁଦାନ ମିଳିନାହିଁ। ଗତ ବର୍ଷର ବକେୟା ଅର୍ଥକୁ ଯଥାଶୀଘ୍ର ଦେବା ପାଇଁ ସାମାଜିକ ସଙ୍ଗଠନ ନରେଗା ସଂଘର୍ଷ ମଞ୍ଚ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଦାବି କରାଯାଇଛି।

୨୦୨୦ ମସିହା ମହାମାରୀ ସମୟରେ ରାଜ୍ୟକୁ ୧୦ଲକ୍ଷ ପ୍ରବାସୀ ଶ୍ରମିକ ଫେରି ଆସି ଏଠାରେ ସଙ୍କୁଚିତ ରୋଜଗାରର ବିକଳ ଚିତ୍ର ଦେଖାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସେହି ବର୍ଷ ମନରେଗା ବ୍ୟାପକ ଟଙ୍କା ଖର୍ଚ ହୋଇଥିଲା ଏବଂ ଅନେକ ସଂଖ୍ୟାରେ ଶ୍ରମିକ କାର୍ଯ୍ୟ ମଧ୍ୟ କରିଥିଲେ। ପ୍ରବାସୀ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ସଙ୍ଗଠନ କର୍ମକର୍ତ୍ତା ଉମି ଡାନିଏଲଙ୍କ ସୂଚନାନୁସାରେ, ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକଙ୍କ ସ୍ପଷ୍ଟ ଚିତ୍ର ତ ସରକାର ଦେଉନାହାନ୍ତି, କିନ୍ତୁ ଗତବର୍ଷ ପ୍ରତି ପଞ୍ଚାୟତରେ ପ୍ରବାସୀ ଶ୍ରମିକଙ୍କ ୧୦ରୁ ୨୦% ବୃଦ୍ଧି ପାଇଛି। ଶ୍ରମିକମାନଙ୍କୁ ବିଳମ୍ବରେ ମଜୁରି ଦିଆଯିବା ଯୋଗୁଁ ସେମାନେ ମନରେଗା ପ୍ରତି ଆଗ୍ରହ କରୁ ନାହାନ୍ତି। ରୋଜଗାର ବର୍ତ୍ତମାନ ଏତେ ସଙ୍କୁଚିତ ହେଲାଣି ଯେ ଯୁବଗୋଷ୍ଠୀ ବାଧ୍ୟ ହୋଇ ବିନା ଯାଞ୍ଚରେ ବାହରକୁ ଯାଉଛନ୍ତି। ସେଠି ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। ଅନେକ କ୍ଷେତ୍ରରେ ଠକେଇରେ ମଧ୍ୟ ପଡ଼ୁଛନ୍ତି। ମନରେଗା ପ୍ରକଳ୍ପ କାର୍ଯ୍ୟାଳୟ ଅନୁସାରେ, ମନରେଗାର ବାକି ଅର୍ଥ ଯଥାଶୀଘ୍ର ପ୍ରଦାନ ପାଇଁ କେନ୍ଦ୍ର ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ରାଜ୍ୟ ଅର୍ଥ ପାଇଯିବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର