ଭୁବନେଶ୍ବର: ରାଜ୍ୟର ଏକାଧିକ ଜିଲ୍ଲାରେ ବ୍ୟାପିଥିବା ଡାଇରିଆ ପଛର କାରଣ ସାମନାକୁ ଆସିଛି। ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହାର କାରଣ ଜଣାଇଛନ୍ତି। ଦୂଷିତ ପାଣି ଓ ଖାଦ୍ୟ ଯୋଗୁଁ ଡାଇରିଆ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଛନ୍ତି। ଏହାସହ ଡାଇରିଆ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍ଙ୍କ ସହ ଆଲୋଚନା ସମୟରେ କେନ୍ଦ୍ରୀୟ ଟିମ୍ ସେମାନଙ୍କ ମତାମତ ଓ ପରାମର୍ଶ ରଖିଥିଲେ। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମ୍ ଜଳର ଉତ୍ସକୁ ଚିହ୍ନଟ କରି ବିଶୋଧନ କରିବା ଓ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ଉପରେ କେନ୍ଦ୍ରୀୟ ଟିମ୍ ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ପାଣି ଫ୍ୟାକ୍ଟ୍ରିଗୁଡ଼ିକର ମାନ ଯାଞ୍ଚ, ଅଧିକ ସମ୍ବେଦନଶୀଳ ଜିଲ୍ଲାଯାଜପୁର, ଭଦ୍ରକ ଓ କେନ୍ଦୁଝର ଉପରେ ଅଧିକ ଫୋକସ୍ କରିବା ଲାଗି କହିଛନ୍ତି। ଏହାସହ ଡାଇରିଆ ସ୍ଥିତି ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ହୋଟେଲ୍, ଢାବା ଓ ରେସ୍ତୋରାଁ ଓ ଭୋଜିଭାତ ଉପରେ ନଜର ରଖିବା ଲାଗି ପରାମର୍ଶ ଦେଇଛନ୍ତି। ଅଗଭୀର ନଳକୂପ, ଖୋଲା କୂପ ଆଦିର ଜଳ ଭୂପୃଷ୍ଠ ଜଳ ସଂସ୍ପର୍ଶରେ ଆସୁଥିବାରୁ ଏହା ଦୂଷିତ ହେବାର ଆଶଙ୍କା ରହିଛି। ତେଣୁ ଏସବୁ ଜଳକୁ ଫୁଟାଇ ବା ହାଲୋଜେନ୍ ବଟିକା ପକାଇ ବ୍ୟବହାର କରିବା ଲାଗି କୁହାଯାଇଛି। ପରେ କେନ୍ଦ୍ରୀୟ ଟିମ୍ ଭିନ୍ନ ଭିନ୍ନ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ୮ଟି ଜିଲ୍ଲାକୁ ମାଡ଼ିଗଲାଣି। ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ବାଲେଶ୍ବର ଆଦି ଜିଲ୍ଲାରୁ ଶହ ଶହ ଡାଇରିଆ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବେସରକାରୀ ଭାବେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାସହ କେନ୍ଦୁଝରରେ ୩, କଟକରେ ୨, କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ତେବେ ସରକାରୀ ଭାବେ ଡାଇରିଆରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି।
ଆଜି ଲୋକସେବା ଭବନରେ ବିଭିନ୍ନ ଜିଲ୍ଲାରେ ଡାଇରିଆ ମୁକାବିଲା ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିଲେ। ଗ୍ରାମ୍ୟ ପାନୀୟ ଜଳ ଉତ୍ସଗୁଡ଼ିକର ନିମୟିତ ବିଶୋଧନ କାର୍ଯ୍ୟ ଅନୁଧ୍ୟାନ କରିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ କୁହାଯାଇଛି। ରାଜ୍ୟ ରାପିଡ୍ ଆକ୍ସନ୍ ଟିମ୍ଙ୍କର କ୍ଷେତ୍ର ପରିଦର୍ଶନ ସ୍ଥିତି ଓ ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ନଗର ଉନ୍ନୟନ, ସୂଚନା ଓ ଲୋକସଂପର୍କ, ଖାଦ୍ୟ ଯୋଗାଣ, ସ୍ବାସ୍ଥ୍ୟ, ପଞ୍ଚାୟତିରାଜ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା, ମିସନ୍ ଶକ୍ତି ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
ଅପରାହ୍ଣରେ ରାଜ୍ୟରେ ଡାଇରିଆ ମୁକାବିଲା ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ସମୀକ୍ଷା କବ୍ଥେିଲେ। ବୈଠକରେ ପ୍ରଭାବିତ ଜିଲ୍ଲାରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା। ଡାକ୍ତରଖାନାରେ ଔଷଧ ମହଜୁଦ ଥିବା ସତ୍ତ୍ବେ ଜଣେ ବରିଷ୍ଠ ନାଗରିକଙ୍କୁ ବାହାରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇଥିବାରୁ ଜଣେ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି। ଆସନ୍ତାକାଲି ବିଶେଷଜ୍ଞ ଦଳ କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ଏହାସହ ପ୍ରତି ଜିଲ୍ଲାରେ କୋର୍ କମିଟିମାନ ଗଠନ କରାଯିବ। ଏହି କୋର୍ କମିଟି ଦୈନିକ ସନ୍ଧ୍ୟାରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବେ। ଏହି ଅନୁଯାୟୀ ଆସନ୍ତାକାଲି ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ। ଡାଇରିଆ ମୁକାବିଲା ସହ ସମସ୍ତ ବରିଷ୍ଠ ଅଧିକାରୀ ଏହାର ସଦସ୍ୟ ରହିବେ। ସମସ୍ତ ବିଭାଗ ଏକ ୟୁନିଟ୍ ଭାବେ ଏକାଭିମୁଖୀ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ୨୫ଟି ଜଳ ନମୁନା ଓ ୨୦ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ୩୫ଟି ହୋଟେଲ, ଢାବା ଓ ପାଣି ବଟଲିଂ ପ୍ଲାଣ୍ଟରେ ଚଢ଼ାଉ କରାଯାଇଛି। ଏହାସହ କଟକ, ସୁବର୍ଣ୍ଣପୁର, କେନ୍ଦୁଝର, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ବରରେ ପାନୀୟ ଜଳ ବିଭାଜନଗୁଡ଼ିକ ପକ୍ଷରୁ ପାନୀୟ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଇଛି। ରାଜ୍ୟର ଅନ୍ୟ ସମସ୍ତ ପାନୀୟ ଜଳ ବିଭାଜନରେ ଜଳ ଉତ୍ସଗୁଡ଼ିକର ବିଶୋଧନ ପାଇଁ ପ୍ରକ୍ରିୟା ଜାରି ରହିଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ବ୍ଲକ୍ ଓ ପୌର ପରିଷଦରେ ସଚେତନତାର ବାର୍ତ୍ତା ନେଇ ‘ବିକାଶ ବାହନ’ ଭ୍ରମଣ କରୁଛି। ଆଜିଠାରୁ ଏହା ଜରିଆରେ ସ୍ବାସ୍ଥ୍ୟ ବିଭାଗର ସୂଚନା, ଶିକ୍ଷା ଓ ସଞ୍ଚାର ସାମଗ୍ରୀ (ଆଇଇସି) ବଣ୍ଟନ କରାଯାଇ ଲୋକଙ୍କୁ ହଇଜା ନିରାକରଣ ନେଇ ସଚେତନ କରାଯାଉଛି। ଜିଲ୍ଲାର ସମସ୍ତ ଜଳସାଥୀମାନଙ୍କୁ ସଂଗଠିତ ଓ ତତ୍ପର କରାଯିବ। ଆବଶ୍ୟକସ୍ଥଳେ ନମୁନା ପରୀକ୍ଷା କିଟ୍ ଯୋଗାଇ ଦିଆଯିବ। ଜଳସାଥୀମାନେ ମଧ୍ୟ ଆଇଇସି ସାମଗ୍ରୀ ଜରିଆରେ ହଇଜା ନିୟନ୍ତ୍ରଣ ସଚେତନତାର ବାର୍ତ୍ତା ପ୍ରଦାନ କରିବେ।
ଯାଜପୁର: ଆଉ ୨ ମୃତ, ୨ ହଜାର ଟପିଲା ରୋଗୀ ସଂଖ୍ୟା, ୧୭ ଛୁଇଁଲା ମୃତ୍ୟୁସଂଖ୍ୟା
ଯାଜପୁର: ହଇଜାର ହଟ୍ସ୍ପଟ୍ ଯାଜପୁର ଜିଲ୍ଲାରେ ଡାଇରିଆ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଯାଜପୁରରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଆଉ ଦୁଇଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଧିନି ମୁର୍ମୁ (୫ ବର୍ଷ) ଓ ପୂଜା ସାମାଡ଼(୨୫)। ଉଭୟଙ୍କ ଘର ବ୍ୟାସନଗର ନହକା ଅଞ୍ଚଳରେ। ଦୁଇ ସପ୍ତାହ ମଧ୍ୟରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଛି। ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଜିଲ୍ଲାରେ ଝାଡ଼ାବାନ୍ତି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିନାହିଁ। ସରକାରୀ ସୂଚନା ଅନୁସାରେ, ଡାଇରିଆ ଓ ହଇଜା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ ବେସରକାରୀ ଭାବେ ୧୭ ରହିଛି। ଆଜି ମିଳିଥିବା ତଥ୍ୟ ମୁତାବକ ଜିଲ୍ଲାର ୨ଟି ପୌରାଞ୍ଚଳ ସମେତ ୧୦ଟି ବ୍ଲକ୍ର ୧୩ଟି ଡାକ୍ତରଖାନାରେ ମୋଟ ୧୯୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ ମିଶ୍ର କହିଛନ୍ତି, ପ୍ରଥମେ ଯେଉଁ ହାରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା, ଏବେ ସେଥିରେ ବହୁମାତ୍ରାରେ ହ୍ରାସ ପାଇଛି।
ହଇଜା ଚିହ୍ନଟ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୯ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ୧୬ଟି ନମୁନା ହଇଜା ପଜିଟିଭ୍ ଚିହ୍ନଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଆଜି ବିଭିନ୍ନ ଡାକ୍ତରଖାନା ଯାଇ ଆକ୍ରାନ୍ତମାନଙ୍କ ତଥ୍ୟ ସଂଗ୍ରହ କରିବା ସହ ମେଡିକାଲ ଅଫିସର, ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ଭେଟି ପଚରାଉଚରା କରିଛନ୍ତି। ସେହିଭଳି ଟିମ୍ ଅଧିକ ଆକ୍ରାନ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି ଯେ, ‘ପ୍ରଭାବିତ ଅଞ୍ଚଳରୁ ପାଣି ନମୁନା ପରୀକ୍ଷା ପାଇଁ ପଠାଯିବା ପ୍ରକ୍ରିୟା ଜାରି ରହିଛି। ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ‘ଷ୍ଟପ୍ ଡାଇରିଆ’ ଅଭିଯାନ ଚଳାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲୁଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯେପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ, ତା’ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ପିଲାଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଶୁଦ୍ଧ ପିଇବା ପାଣି ଯାଏଁ, ସବୁ ସୁବ୍ୟବସ୍ଥା କରିବା ଲାଗି ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/19/fhfshfsxbb-2025-06-19-02-06-00.jpg)