ଭୁବନେଶ୍ବର: ଦୁଇ ବର୍ଷ ଧରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଶିକ୍ଷାଗ୍ରହଣ କରିଥିଲେ। କୋଭିଡ ସମୟରେ ଏକାଦଶ ଶ୍ରେଣୀରେ ନାମଲେଖାଇବା ସହ ୨୦୨୨ରେ ଫର୍ମ ପୂରଣ କରି ଦ୍ବାଦଶ ଶ୍ରେଣୀ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାରେ ଅଂଶଗ୍ରହଣ କଲେ। ରେଜଲ୍ଟ ମଧ୍ୟ ପ୍ରକାଶ ପାଇଲା। ମୋଟ ୬୦୦ରୁ ୩୦୯ ନମ୍ବର ରଖି ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ। ମାତ୍ର ଯେଉଁ କଲେଜରେ ପଢ଼ୁଥିଲେ ସେଠାରୁ ତାଙ୍କୁ ସାର୍ଟିଫିକେଟ୍ ଦିଆଯାଉ ନାହିଁ। କାରଣ ଯେଉଁ ଘରୋଇ କଲେଜରେ ପଢ଼ୁଥିଲେ ସେଠାକାର ସମ୍ପୂର୍ଣ୍ଣ ଫି’ ଦାଖଲ କରିନାହାନ୍ତି। ଯେପର୍ଯ୍ୟନ୍ତ ବକେୟା ଫି’ ଦାଖଲ କରି ନାହାନ୍ତି ସେପର୍ଯ୍ୟନ୍ତ ସାର୍ଟିଫିକେଟ୍ ଦିଆଯିବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ ରୋକଠୋକ୍ ଶୁଣାଇ ଦେଇଛନ୍ତି।
ଭୀମଟାଙ୍ଗୀ ଅଞ୍ଚଳର ଭୀମେଶ୍ବର ମାର୍ଗରେ ରହୁଥିବା ଶ୍ରୀକାନ୍ତ କୁମାର ମହାକୁଡ଼ଙ୍କ ପୁଅ ବିଶ୍ବରଞ୍ଜନ ମହାକୁଡ଼ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ ବକେୟା ଅର୍ଥ ପଇଠ କରିବାକୁ କିଛି ସମୟ ଦେବାକୁ ଶ୍ରୀକାନ୍ତ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ଗଣଶିକ୍ଷା ମନ୍ତ୍ରୀ, ସଚିବଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ଶ୍ରୀକାନ୍ତ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ପୋଷ୍ଟ ଅଫିସ୍ରେ ଏଜେନ୍ସି ଓ ଲାଇଫ୍ ଇନ୍ସୁରାନ୍ସ ଭାବେ ଏକ କମ୍ପାନିରେ କାର୍ଯ୍ୟ କରନ୍ତି। ସେଥିରୁ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସମ୍ଭବପର ନୁହେଁ। ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ଅଛନ୍ତି। ତେଣୁ ଚାରିପ୍ରାଣୀ କୁଟୁମ୍ଭ ଚଳାଇବା କଷ୍ଟକର ହୋଇପଡ଼ୁଛି। ତା’ସତ୍ତ୍ବେ ପୁଅ ବିଶ୍ବରଞ୍ଜନଙ୍କୁ ବରୁଣେଇଠାରେ ଥିବା ଶ୍ରୀ ଅରବିନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟଗ୍ରରାଲ ଏଜୁକେସନରେ ଯୁକ୍ତ୨ରେ ନାମ ଲେଖାଇଥିଲି। ୨୦୨୨ରେ ଯୁକ୍ତ୨ ବିଜ୍ଞାନରେ କୃତକାର୍ଯ୍ୟ ହୋଇଛି।
ମାତ୍ର ବକେୟା ଅର୍ଥ ଦେଇ ପାରୁ ନ ଥିବାରୁ କଲେଜ କର୍ତ୍ତୃପକ୍ଷ ସାର୍ଟିଫିକେଟ୍ ପ୍ରଦାନ କରୁ ନାହାନ୍ତି। ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅର୍ଥ ନ ମିଳିଛି ସେପର୍ଯ୍ୟନ୍ତ କଲେଜ ଲିଭିଂ ସାର୍ଟିଫିକେଟ୍ ପ୍ରଦାନ କରାଯିବ ନାହିଁ ବୋଲି ସେମାନେ କହୁଛନ୍ତି। ବର୍ତ୍ତମାନ ମୋର ଯେଉଁ ଆର୍ଥିକ ସ୍ଥିତି ରହିଛି ସେଥିରେ ବକେୟା ଅର୍ଥ ପ୍ରଦାନ କରିବା ସମ୍ଭବପର ନୁହେଁ। ସେହିପରି ସିଏଲ୍ସି ନ ଥିବାରୁ ପୁଅ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛି। କୌଣସି ସ୍ଥାନରେ ଚାକିରୀ କରିପାରୁ ନାହିଁ। ତେଣୁ ଏଠାରେ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ପୁଅ ନିଯୁକ୍ତି ପାଇବା ପରେ କଲେଜର ବକେୟା ଅର୍ଥ ଧୀରେ ଧୀରେ ଶୁଝିଦେବି ବୋଲି ଶ୍ରୀକାନ୍ତ କହିଛନ୍ତି। ଏସମ୍ପର୍କରେ କଲେଜ ଅଧ୍ୟକ୍ଷ ରେବେକା ଭଟ୍ଟାଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।