ଫୁଲବାଣୀ : ବଲାଙ୍ଗୀରରେ ନକଲି ସାଟିଫିକେଟ୍ ରାକେଟ୍ର ପର୍ଦ୍ଦାଫାସ ପରେ ଏବେ ଫୁଲବାଣୀ ଡାକମଣ୍ଡଳରେ ମଧ୍ୟ ସମାନ ଘଟଣା ଘଟିଛି। ଏହି ଡାକମଣ୍ଡଳ ଅଧୀନରେ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରୁ ୬ ଜଣଙ୍କ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିଛି।
ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖା ପୋଷ୍ଟମାଷ୍ଟର୍ ଓ ସହକାରୀ ପୋଷ୍ଟମାଷ୍ଟର୍ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦ ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ୍ ପାସ୍ ରହିଥିଲା, ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଅନ୍ଲାଇନରେ ହୋଇଥିଲା। ମାଟ୍ରିକ ପରୀକ୍ଷାର ନମ୍ବର ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୮୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିଥିଲେ। ଏ ସମସ୍ତ ପ୍ରାର୍ଥୀଙ୍କ ମାଟ୍ରିକ୍ ପ୍ରମାଣପତ୍ର ଯାଞ୍ଚପରେ ସେଥିମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ଜାଲ୍ ବୋଲି ଜଣା ପଡ଼ିଥିଲା। ସେଥିରୁ ୫ ଜଣ ଆହ୍ଲାବାଦ ବୋର୍ଡ଼ରୁ ସାର୍ଟିଫିକେଟ୍ ଆଣିଥିବା ବେଳେ ଜଣଙ୍କ ପାଖରେ ଜାତୀୟ ମୁକ୍ତ ବିଦ୍ୟାଳୟର ପ୍ରମାଣପତ୍ର ରହିଥିବା ଜଣାପଡିଛି।
ଏନେଇ ଫୁଲବାଣୀ ଡାକ ମଣ୍ଡଳ ଅଧୀକ୍ଷକ ଦେବୀପ୍ରସାଦ ନାୟକ ଗତକାଲି ସନ୍ଧ୍ୟାରେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଳାର ପ୍ରମୋଦ ସାହୁ, ଖୋର୍ଦ୍ଧାର ଶୁଭଙ୍କର ବେହେରା, କନ୍ଧମାଳର ମାନିନୀ ମାଝୀ, ପ୍ରମିତ କୁମାର ବେହେର୍ଦଳେଇ ଏବଂ ଭଦ୍ରକ ଜିଲ୍ଲାର ନରେନ୍ଦ୍ର ମହାନ୍ତି ଆହ୍ଲାବାଦରୁ ସାର୍ଟିଫିକେଟ ସଂଗ୍ରହ କରିଥିବା ବେଳେ ଖୋର୍ଦ୍ଧାର ପ୍ରହ୍ଲାଦ ବେହେରା ଏନ୍ଆଇଓଏସ୍ର ପ୍ରମାଣପତ୍ର ଦାଖଲ କରିଥିବା ଡାକ ଅଧୀକ୍ଷକ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ଫୁଲବାଣୀ ଟାଉନ୍ ଥାନାରେ କେସ୍ ନଂ ୮୬/୨୩ରେ ପୁଲିସ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି ବୋଲି ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଅଶୋକ କୁମାର ଗିରି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ନକଲି ସାର୍ଟିଫିକେଟ୍ ପ୍ରଦାନ କରିଥିବା ପ୍ରାର୍ଥୀ ଏକ ନିର୍ଦ୍ଦିଷ୍ଟ ବୋର୍ଡ଼ରୁ ପ୍ରମାଣପତ୍ର ପାଇଥିବା ଆବେଦନକାରୀମାନେ କଳାହାଣ୍ଡି, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/phulabani.jpg)