ଦାୟିତ୍ବ ନେଲେ ମାନବାଧିକାର କମିସନ ଅଧ୍ୟକ୍ଷ

ଭୁବନେଶ୍ବର: ବର୍ତମାନ ସମୟରେ ମାନବାଧିକାର ପରିଭାଷା ବେଶ୍ ବ୍ୟାପକ ହୋଇଛି। ଜୀବନ, ଶିକ୍ଷା, ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ମାନବାଧିକାର ପରିସୀମା ବୃଦ୍ଧି ପାଇଛି। ମାତ୍ର ଅଧିକାଂଶ ଲୋକ ନିଜର ମାନବାଧିକାର ସଂପର୍କରେ ସଚେତନ ନୁହନ୍ତି। ତେଣୁ ଲୋକମାନଙ୍କୁ ସେମାନଙ୍କର ମାନବାଧିକାର ସଂପର୍କରେ ସଚେତନ କରାଇବା ଲାଗି ଉଦ୍ୟମ କରାଯିବ। ଏଥିପାଇଁ ସ୍ଥାନୀୟ ଏନ୍‌ଜିଓ ଓ ଅନ୍ୟମାନଙ୍କ ସହାୟତାରେ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମାନବାଧିକାର କମିସନର ନବନିଯୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ବିକେ ପଟେଲ କହିଛନ୍ତି।

ଜଷ୍ଟିସ୍ ପଟେଲ ଆଜି ତୋଷାଳି ପ୍ଲାଜାସ୍ଥିତ ରାଜ୍ୟ ମାନବାଧିକାର କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ସାଧାରଣ ଲୋକଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ କିମ୍ବା ‌ହାଜତ ମୃତ୍ୟୁ କେବଳ ମାନବାଧିକାର ଉଲ୍ଲଂଘନ ଭାବେ ଚର୍ଚା କରାଯାଉଛି। ମାତ୍ର ସ୍ବାସ୍ଥ୍ୟସେବା, ପ୍ରଦୂଷଣ ଯୋଗୁଁ ସ୍ବାସ୍ଥ୍ୟହାନୀ ହେବା ମଧ୍ୟ ମାନବାଧିକାର ପରିସର ଭିତରେ ଆସୁଛି। ରାଜ୍ୟରେ ନିକଟରେ ଘଟିଥିବା ବହୁ ଚର୍ଚିତ ଘଟଣା ସଂପର୍କରେ ଜଷ୍ଟିସ୍ ପଟେଲ କହିଥିଲେ ଯେ ଯଦି କୌଣସି ଜାତୀୟ କମିସନ ଏସବୁ ଘଟଣା ଗୁଡ଼ିକୁ ବିଚାରକୁ ନେଇ ନ ଥିବେ ତାହେଲେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ମାମଲା ରୁଜୁ କରିବା ସଂପର୍କରେ ବିଚାର କରାଯିବ। ସ୍ବଳ୍ପ ସମୟ ଭିତରେ କମିସନରେ ପଡ଼ି ରହିଥିବା ମାମଲା ଗୁଡ଼ିକର କିଭଳି ଶୀଘ୍ର ବିଚାର କରାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର