ଭୁବନେଶ୍ବର: ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତର ଚ୍ୟାଲେଞ୍ଜ। ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବାବେଗ ଏତେ ଗଭୀର ଭାବେ ଜଡ଼ିତ ଯେ, ସାମାନ୍ୟ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିବା ସହ ସରକାର ବି ବଦଳିଯିବାର ଆଶଙ୍କା ରହିଛି ବୋଲି କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କତାମୂଳକ ପରାମର୍ଶ ଦେଇଥିଲେ। କିନ୍ତୁ ରାଜନୈତିକ କ୍ୟାରିୟର ନୁହେଁ, କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ। ନିଜ ରାଜନୈତିକ ଭବିଷ୍ୟତକୁ ଭ୍ରୁକ୍ଷେପ ନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ। ଏହା କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଆଜି ଭୁବନେଶ୍ବରରେ ହୋଟେଲ୍ ଭିଭାନ୍ତାରେ ଆୟୋଜିତ ସହରାଞ୍ଚଳ ରୂପାନ୍ତର ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀକୁ ଶ୍ରୀ ପାଣ୍ଡିଆନ କହିଥିଲେ। ସେ କହିଥିଲେ, ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି। ଲୋକମାନେ ମୋତେ ବିଶ୍ବାସ ଓ ଭରସା କରିବା ସହ ଅକୁଣ୍ଠ ଭଲପାଇବା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କର ରହିଛି ଅକୁଣ୍ଠ ଭଲପାଇବା ଓ ବିଶ୍ବାସ। ମୁଁ ଯଦି ଶ୍ରୀକ୍ଷେତ୍ରର ବିକାଶ ନକରିବି ଇତିହାସ ମୋତେ କ୍ଷମା ଦେବନି। ସରକାର ପ୍ରତି ଯେତେ ବିପଦ ଆସିଲେ ମଧ୍ୟ ଏହାକୁ ସାମ୍ନା କରି ମହାପ୍ରଭୁଙ୍କ କାମ କରିବି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ୫-ଟି ଅଧ୍ୟକ୍ଷ କହିଥିଲେ ଯେ, ଶ୍ରୀମନ୍ଦିର ରୂପାନ୍ତର ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୂର୍ବରୁ ମଧ୍ୟ ଚିନ୍ତା କରାଯାଇଥିଲା। ବହୁ ବଡ଼ ବଡ଼ ରାଜା ଓ ବ୍ରିଟିସ ଅମଳର ଜିଲ୍ଲାପାଳମାନେ ବି ଉଦ୍ୟମ କରିଥିଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ। କିନ୍ତୁ ଶ୍ରୀମନ୍ଦିର ରୂପାନ୍ତର କାମ ଯିଏ ବି ଆରମ୍ଭ କରିଥିଲେ ସେମାନେ ୧୫ଦିନରୁ ମାସେ ମଧ୍ୟରେ ଓହରିଯାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ଯୋଗୁଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି। ଏହି ରୂପାନ୍ତରକୁ ଗଜପତି ମହାରାଜ ମଧ୍ୟ ପ୍ରଶଂସା କରିଛନ୍ତି। ୭୦୦ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ରୂପାନ୍ତର ହୋଇଛି ବୋଲି ନିଜେ ଗଜପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/djdgjdjggj.jpg)