କୁଳପତିଙ୍କୁ ୧୦ ଦିନ ମହଲତ, ମେରୀ ରାୟ ନୀତି ଚାଲିବ ନାହିଁ

ସମ୍ବଲପୁର: ଲଜପତ ରାୟ ଆଇନ କଲେଜ ପ୍ରସଂଗରେ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ଗୁରୁତର ସହିତ ନେଇଛି। ଲଜପତ ରାୟ ଆଇନ କଲେଜରୁ ବିଶ୍ବବିଦ୍ୟାଳୟକୁ ନିଆଯାଇଥିବା ୬୨ ଲକ୍ଷ ୬୭ ହଜାର ଟଙ୍କା ‌ଫେରାଇବା ପାଇଁ ୧୦ ଦିନ ମହଲତ ଦେବାକୁ ସ୍ଥିର ହୋଇଛି। ଏହି ଅବଧି ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଟଙ୍କା ଫେରସ୍ତ କରା ନଗଲେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ସୁରେଶ୍ବର ମିଶ୍ର କହିଛନ୍ତି, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ‘ମେରୀ ରାୟ’ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଜିଲ୍ଲା ଓକିଲ ସଂଘର ଅଧିକାଂଶ ସଦସ୍ୟ ହେଉଛନ୍ତି ଲଜପତ ରାୟ ଆଇନ କଲେଜର ଛାତ୍ର। ସେମାନଙ୍କ ନିଜ ଶିକ୍ଷାନୁଷ୍ଠାନ ସହିତ ବିଶ୍ବବିଦ୍ୟାଳୟ ପ୍ରଶାସନର ଖେଳକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଆଇନ କଲେଜ ପୁରାତନ ଛାତ୍ର ସଂସଦ ଏହି ପ୍ରସଂଗରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ଜିଲ୍ଲା ଓକିଲ ସଂଘ ସଂପୂର୍ଣ୍ଣ ଭାବେ ତାହାକୁ ସମର୍ଥନ କରୁଛି। ପୁରାତନ ଛାତ୍ର ସଂଘ ଥାନାରେ ଦେଇଥିବା ଅଭିଯୋଗପତ୍ରକୁ ପୁଲିସ ଏକ ଷ୍ଟେସନ୍‌ ଡାଏରି କରି ତଦନ୍ତ କରୁଛି। ପୁଲିସ ଏ ଦିଗରେ ଠୋସ୍ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆମର ଆଶା ରହିଛି। ତଥାପି, କୁଳପତିଙ୍କୁ ୧୦ ଦିନ ମହଲତ ଦିଆଯାଇଛି। ଏହି ଅବଧି ମଧ୍ୟରେ କୁଳପତି ଜିଲ୍ଲା ଓକିଲ ସଂଘ ସହିତ ଆଲୋଚନା କରି ଆଇନ କଲେଜ ଖାତାକୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରନ୍ତୁ।

ଏହା ଦ୍ବାରା ତାଙ୍କର ସମ୍ମାନ ବଢ଼ିବ। ଯଦି, ସେ ୧୦ ଦିନ ମଧ୍ୟରେ ‌କୌଣସି ସକରାତ୍ମକ ପଦକ୍ଷେପ ନନିଆନ୍ତି, ତାହେଲେ ‌ଓକିଲ ସଂଘ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ମିଶ୍ର ସତର୍କ କରାଇ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଇନ କଲେଜର ଦ୍ବିତୀୟ ମହଲା କୋଠା ନିର୍ମାଣ ଆଳ ଦେଖାଇ ଏହି ଟଙ୍କା ନିଆଯାଇଛି। ଯେତ‌େବେଳେ ପ୍ରଥମ ମହଲା ଏପର୍ଯ୍ୟନ୍ତ ନିର୍ମାଣ ହୋଇ ନାହିଁ, ଦ୍ବିତୀୟ ମହଲା କେମିତି ନିର୍ମାଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଏହି ଅର୍ଥ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଲଜପତ ରାୟ ଆଇନ କଲେଜ ହେଉଛି ରାଜ୍ୟର ଅନ୍ୟତମ ପୁରାତନ ଓ ଦ୍ବିତୀୟ ବଡ଼ କଲେଜ। ତେଣୁ, ଏହାକୁ ଆଇନ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଉ। ଆଇନ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନେ ଏବେ ଆଗଭର ହେଉଛନ୍ତି। ରାଜ୍ୟ ବାହାରରେ ମଧ୍ୟ ଅଂଚଳର ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ତେଣୁ, ସମ୍ବଲପୁରରେ ଆଇନ ବିଶ୍ବବିଦ୍ୟାଳୟ ସ୍ଥାପନ ହେଲେ ଅଂଚଳର ଛାତ୍ରଛାତ୍ରୀମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି ‌ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଓକିଲ ସଂଘର ଉପସଭାପତି ବସନ୍ତ ମିଶ୍ର, ସଂପାଦକ ସରୋଜ ସାହୁଙ୍କ ସହିତ ଡ. ପ୍ରମୋଦ ରଥ, ବିଜିତେନ୍ଦ୍ରୀୟ ପ୍ରଧାନ, ରବିରଂଜନ ପୂଜାରୀ, ପ୍ରମୋଦ ଦାଶ, ଭଗତ ସିଂ, ମନୋରଜଂନ ପଣ୍ଡା, ସୁଦାମ ଲୁହା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର