କଣ୍ଟିଲୋ: ନୀଳମାଧବଙ୍କ ପ୍ରମୁଖ ପର୍ବ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବା ବଜାର ସନ୍ନିକଟ ଚାପ ପୋଖରୀ କ୍ରମେ ପ୍ରଦୂଷିତ ହେବାରେ ଲାଗିଛି। ନୀଳମାଧବ ମନ୍ଦିର ବିକାଶ ପ୍ରକଳ୍ପ ଅଧୀନରେ ପ୍ରତିବର୍ଷ ନୀଳମାଧବଙ୍କ ଚଳନ୍ତି ପ୍ରତିମା ମଦନମୋହନ ବିଜେ ହେଉଥିବା ଚନ୍ଦନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ବର୍ତ୍ତମାନ ନିର୍ମାଣାଧୀନ ଥିବା ବେଳେ ବର୍ତ୍ତମାନ ଏହାର ଚତୁର୍ପାର୍ଶ୍ୱ ମଦ୍ୟପଙ୍କ ଆଡ଼ାସ୍ଥଳ ପାଲଟିଛି। ଏଥି ସହ ପୋଖରୀ ଉତ୍ତର ପାର୍ଶ୍ୱରେ ଥିବା ଜନବସତିରୁ ଅନବରତ ଭାବେ ଅଇଁଠା, ନର୍ଦ୍ଦମା ପାଣି ପୋଖରୀକୁ ପ୍ରବେଶ କରୁଛି।
ସଞ୍ଜ ନଇଁଲେ ପୋଖରୀ ପାଚେରି ଚାରି ପାଖରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ପୋଖରୀ ଚତୁର୍ପାର୍ଶ୍ୱରେ ନବନିର୍ମିତ ପାଚେରି କଡ଼ରେ ମାଳମାଳ ମଦ ବୋତଲ ଓ ପ୍ଲାଷ୍ଟିକ ଆବର୍ଜନାରେ ଭର୍ତ୍ତି ହୋଇପଡ଼ିଛି। ପୋଖରୀ ଜଳରେ ବର୍ଜ୍ୟବସ୍ତୁ ଭାସିବା ସହିତ ପ୍ରଦୂଷିତ ହୋଇପଡିଛି।
ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆଲୋକୀକରଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ପୁଷ୍କରିଣୀ ସମ୍ପର୍କରେ ତଥା ଏହାର ପବିତ୍ରତା ରକ୍ଷା କରିବା ପାଇଁ ସୂଚନା ଫଳକଟିଏ ମଧ୍ୟ ନାହିଁ। ନବନିର୍ମିତ ଚନ୍ଦନ ପୁଷ୍କରିଣୀର ଏଭଳି ଦୁରବସ୍ଥା ତଥା ରକ୍ଷଣବେକ୍ଷଣ ଦିଗରେ ପ୍ରଶାସନିକ ଉଦାସୀନତା ହେତୁ ନୀଳମାଧବ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।