କେନ୍ଦୁଝର: କେନ୍ଦୁଝରର ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଦେବ ଜିଉଙ୍କ ସର୍ବବୃହତ ରଥ। ୫୦ହଜାରରୁ ଊର୍ଦ୍ଧ୍ବ ଭକ୍ତ ରଥାରୂଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହ ରଥ ଟାଣିଛନ୍ତି। ଘଣ୍ଟଘଣ୍ଟା, ଭଜନ, କୀର୍ତ୍ତନ, ଶଙ୍ଖନାଦର ତାଳେତାଳେ ନନ୍ଦିଘୋଷ ରଥ ସନ୍ଧ୍ୟା ୭ଟାରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଭୋର ୫ଟାରେ ଶ୍ରୀଜିଉମାନଙ୍କ ଅବକାଶ ଶେଷ ହେବା ପରେ ସକାଳ ଧୂପ, ଲୁଗାଲାଗି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଚକାଭିଡ଼ା ଓ ପହଣ୍ଡି ବେଶ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୨ଟାରେ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା।
ପହଣ୍ଡି ଶେଷ ହେବା ପରେ ଚାରମାଳ ଫିଟାଯାଇ ଶ୍ରୀଜିଉଙ୍କୁ ବାମନ ବେଶ କରାଯାଇଥିଲା। ରଥରେ ଘୋଡ଼ାବନ୍ଧା ଓ ଚକାଭିଡ଼ା କାର୍ଯ୍ୟ ଶେଷ ହେବା ପରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରାପହଁରା କରିଥିଲେ। କେନ୍ଦୁଝର ସାଂସଦ ଅନନ୍ତ ନାୟକ, କେନ୍ଦୁଝର ପୌରାଧ୍ୟକ୍ଷା ନିକୁ ସାହୁ, କାଉନସିଲର ଓ ଜନପ୍ରତିନିଧିମାନେ ଶ୍ରୀଜିଉମାନଙ୍କ ଦର୍ଶନ କରିଥିଲେ। ଜିଲ୍ଲାପାଳ ବିଶାଲ ସିଂହ, ଏସ୍ପି ନୀତିନ କୁଶଲକର, ଡିଏଫ୍ଓ ଏଚ୍ଡି ଧନରାଜ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଉମାଶଙ୍କର ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ତଦାରଖ କରିଥିଲେ।