ରଥ ଦେଖେଇଲେ, ହାତ ଛାଡ଼ିଦେଲେ: ସ୍ୱାମୀଙ୍କୁ ଖୋଜୁଛନ୍ତି ୮୫ ବର୍ଷୀୟା ସାବିତ୍ରୀ, ବାପାଙ୍କୁ ଛାଡ଼ି ପୁଅ ପଳାଇଲା

ପୁରୀ : ମୋ ବୁଢ଼ା କହିଲା, ଚାଲ୍ ରଥ ଦେଖେଇ ଆଣିବି। ମନା କରୁଥିଲି, ବୁଢ଼ାର ମନ ବୁଝିଲାନି। ସୁନାବେଶ ଦେଖିବାକୁ ସାଙ୍ଗ ହୋଇ ଟ୍ରେନ୍‌ରେ ବ୍ରହ୍ମପୁରରୁ ଚାଲି ଆସିଲୁ। ରଥ ଦେଖିଲୁ। ମାଗଣା ଖାଦ୍ୟ ବଣ୍ଟା ହେଉଥିବା ଦେଖି ଖାଇବାକୁ ଧାଡ଼ିବାନ୍ଧି ଛିଡ଼ା ହେଲୁ। ‌ହେଲେ, ଗହଳି ଭିତରେ ଦିହେଁ ଅଲଗା ହେଇଗଲୁ। ବହୁତ ଖୋଜିଲି, କିନ୍ତୁ ବୁଢ଼ାକୁ ପାଇଲିନି। ବୁଢ଼ା ସିନା ରଥ ଦେଖେଇଲା, କିନ୍ତୁ ହାତ ଛାଡ଼ିଦେଲା। ୭ଦିନ ହେଲା ବୃଦ୍ଧ ସ୍ବାମୀ ନିଖୋଜ ହୋଇଯିବା ପରେ ବିଚ୍ଛେଦ ଦୁଃଖରେ ମନର ଦରଦ ବଖାଣିଛନ୍ତି ବ୍ରହ୍ମପୁର କୋଦଳାସ୍ଥିତ ଗୁଳିଆରିର ୮୫ ବର୍ଷୀୟା ସାବିତ୍ରୀ ଜେନା। ଦୁଇ ବର୍ଷ ପରେ ଭକ୍ତ ରଥ ଉପରେ ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ କରି କୃତାର୍ଥ ହୋଇଛନ୍ତି, ଅଥଚ ରଥଯାତ୍ରା ଭଳି ଆଡ଼ମ୍ବରପୂର୍ଣ୍ଣ ମହୋତ୍ସବରେ ନିଜ ସ୍ବାମୀଙ୍କ ବିଚ୍ଛେଦରେ କାନ୍ଦୁଛନ୍ତି ସାବିତ୍ରୀ।

ସ୍ବାମୀ ନିଖୋଜ ହୋଇଯିବା ପରେ ସାବିତ୍ରୀ ଅଖିଆ ଅପିଆ ତାଙ୍କୁ ଷ୍ଟେସନରୁ ନେଇ ବସ୍‌ଷ୍ଟାଣ୍ଡ ଖୋଜି ବୁଲିଲେ। ବସ୍‌ଷ୍ଟାଣ୍ଡରେ ବୁଲୁଥିବା ‌ବେଳେ ବୃଦ୍ଧାଙ୍କର ଅସହାୟ ଅବସ୍ଥା ଦେଖି ଜଣେ ସହୃଦୟା ମହିଳା ବୃଦ୍ଧାଙ୍କୁ ନିଜ ଘରକୁ ନେଇ ସାହି ଭାଇ ଅନୁଷ୍ଠାନର ଚନ୍ଦ୍ରଶେଖର ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀ ମିଶ୍ର ବୃଦ୍ଧାଙ୍କୁ ଉଦ୍ଧାର କରିବାପରେ ତାଙ୍କ ଠିକଣା ପଚାରିବାରେ ସେ ବ୍ରହ୍ମପୁରର ବାସିନ୍ଦା ବୋଲି ଜଣାପଡ଼ିଥିଲା। ବୃଦ୍ଧାଙ୍କ ସ୍ବାମୀଙ୍କୁ ଖୋଜାଖୋଜି ପରେ ନମିଳିବାରୁ ସାବିତ୍ରୀଙ୍କୁ ନେଇ ତାଙ୍କ ଠିକଣାରେ ଛାଡ଼ିଦେବା ପାଇଁ ଶ୍ରୀ ମିଶ୍ର ଉଦ୍ୟମ କରିଥିଲେ। ବ୍ରହ୍ମପୁର କୋଦଳାସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। ମାତ୍ର ସାବିତ୍ରୀ ଜନବସତିଠାରୁ ୫୦୦ ମିଟର ଦୂରରେ ଏକ ତାଟି ଘେରା ଝୁମ୍ପୁଡ଼ି ଘରେ ରହୁଥିବା ଦେଖି ଶ୍ରୀ ମିଶ୍ର ବୃଦ୍ଧା
ସାବିତ୍ରୀଙ୍କୁ ଏଭଳି ପରିବେଶରେ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରିନଥିଲେ। ତେଣୁ ପୁନର୍ବାର ତାଙ୍କୁ ପୁରୀ ଆଣି ‘ଆଭା’ ବୃଦ୍ଧାଶ୍ରମରେ ଆଶ୍ରୟ ଦେଇଛନ୍ତି। ସାବିତ୍ରୀ ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିଥିଲେ ବି ସ୍ବାମୀଙ୍କୁ ଝୁରି ହେଉଛନ୍ତି।

ସେହିଭଳି ବାହୁଡ଼ା ବେଳେ ଆଉ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଦେଖାଇବାକୁ ଆଣିଥିବା ପୁଅ ପୁରୀରେ ବାପା ବ୍ରଜବନ୍ଧୁ ନାଗ୍‌ଙ୍କୁ ଛାଡ଼ି ଛୁ ମାରିଛି। ତାଙ୍କ ଘର ଗଞ୍ଜାମ ଜିଲ୍ଳାରେ। ଚାରି ପୁଅ ପାଖେ ପାଳି କରି ରହୁଥିବା ବୃଦ୍ଧ ବାପା ବ୍ରଜବନ୍ଧୁ ସଂଯୋଗକୁ ସାନ ପୁଅ ପାଖରେ ପାଳି ମୁତାବକ ରହି ଆସୁଥିଲେ। ବ୍ରଜବନ୍ଧୁ ରଥଯାତ୍ରା ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସେ ପୁଅକୁ ଜଣାଇଥିଲେ। ପୁଅ ବି ବାପାଙ୍କୁ ନେଇ ବାହୁଡ଼ାରେ ପୁରୀ ଆସିଲେ। ମାତ୍ର ହାତରେ ୨୦ ଟଙ୍କା ଧରେଇ ଦେଇ କହିଲେ, ବାପା ତୁମେ ଏଇଠି ତୀର୍ଥ କରୁଥାଅ। ପୁଅ ଯେ ତାଙ୍କୁ ଛାଡ଼ିଦେଇ ଚାଲିଯିବାକୁ ଏଭଳି ଯୋଜନା କରୁଥିଲା ସେକଥା ବ୍ରଜବନ୍ଧୁଙ୍କୁ ମାଲୁମ ନଥିଲା। ସତକୁ ସତ ଗହଳି ଭିତରେ ବାପାଙ୍କ ହାତ ଛାଡ଼ି ସମୀର ଚାଲିଗଲେ। ଯେତେବେଳେ ପୁଅକୁ ବ୍ରଜ‌ବନ୍ଧୁ ଖୋଜିବୁଲିଲେ, ପାଇଲେ ନାହିଁ। ପୁଅ ଦେଇଥିବା ୨୦ ଟଙ୍କାରୁ ଚା’ କପେ ପିଇଦେଇ ଏଣେତେଣେ ଗଳିକନ୍ଦି ଘୂରି ବୁଲିଲେ। ‌୧୨ ତାରିଖରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କୁ କିଛି ସହୃଦୟ ବ୍ୟକ୍ତି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କ‌ରାଇଲେ। ବ୍ରଜବନ୍ଧୁଙ୍କ କହିବା ମୁତାବକ, ଯାହା ଜମିବାଡ଼ି ଥିଲା ସେସବୁ ବିକି ଦେଇ ସେ ଝିଅ ବାହାଘର କରେଇଦେଲେ। ଚାରି ପୁଅ ଥିବାରୁ ତାଙ୍କ ପାଖରେ ପାଳି କରି ରହି ଆସୁଥିଲେ। କିଛି ଟଙ୍କା ବଡ଼ପୁଅଙ୍କୁ ଛତୁ ଚାଷ କରିବା ପାଇଁ ଦେଇଥିଲେ। ବୋଧେ ସାନପୁଅକୁ ଏ କଥା ବାଧିଥିଲା। ଏବେ ତାଙ୍କ ବଡ଼ ପୁଅଙ୍କୁ ଡକାଇ ବ୍ରଜବନ୍ଧୁଙ୍କୁ ଘରକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର