ପୁରୀ: ରଥ ପାଇଁ କାଠ ଚୟନ କରି କଟାଯିବା ପରେ ଏବେ ଟ୍ରକ୍ରେ କାଠ ପୁରୀକୁ ଆସୁଛି। ମାତ୍ର ଅତୀତରେ କାଠ ପରିବହନ ପାଇଁ ନା ଅନୁକୂଳ ରାସ୍ତା ଥିଲା ନା ବୃହତ୍ ଯାନ ଥିଲା। କାଠ ପୁରୀରେ ପହଞ୍ଚିବା ପାଇଁ ନଦୀପଥ ଥିଲା ଭରସା। ପଟାଳି ଘଣ୍ଟୁଆମାନେ ରଣପୁର ଓ ଦଶପଲା ଜଙ୍ଗଲରୁ କାଠସବୁକୁ ପଟାଳି ବାନ୍ଧି ନଦୀପଥରେ ଭସାଇ ଦେଉଥିଲେ। ଏଣେ ପଟାଳି ଜଗିଆମାନେ ରଥ କାଠକୁ ଜଗି ରହୁଥିଲେ। ହୁଳୁହୁଳିଆ କୂଳରେ ଓ କାଠପୋଲ ନିକଟରେ କାଠ ପଟାଳି ଲାଗିବା ମାତ୍ରେ ତାକୁ ରୋକ୍ ଦଣ୍ଡାରେ ବାନ୍ଧୁଥିଲେ।
ନଦୀପଥ ସମୁଦ୍ର ଆଡ଼କୁ ଅଗ୍ରସର ହେଉଥିବାରୁ କାଠ ସବୁ ସମୁଦ୍ରକୁ ଭାସିଯିବାର ସମ୍ଭାବନା ରହୁଥିଲା। ତେଣୁ ପଟାଳି ଜଗିଆମାନେ ନଦୀପଥ କଡ଼ରେ ଜଗି ରହୁଥିଲେ। କାଠ ସବୁକୁ ନଦୀରୁ ବାହାର କରିବା ପରେ ଶଗଡ଼ିଆମାନେ ସେଠାରୁ କାଠସବୁକୁ ରଥଖଳାକୁ ବୋହି ଆଣୁଥିଲେ। ମଠ ଶଗଡ଼ିଆମାନେ କାଠ ବୋହି ଆଣୁଥିଲେ। କାଠ ଗଣତିଆ ପାହି ମହାରଣାମାନେ ପ୍ରତ୍ୟେକ ରଥର କାଠ ମଣତିଗଣତି କରି ତିନି ରଥ ପାଇଁ ହିସାବ ମୁତାବକ କାଠ ରଖୁଥିଲେ।
ଚୈତ୍ର ଶୁକ୍ଳ ଅଷ୍ଟମୀ ସଂଯୁକ୍ତ ନବମୀ ତିଥିରୁ କରତିଆ ନାୟକଙ୍କ ଅଧିନାୟକତ୍ବରେ କାଠ ପଟା ଚିରା କାମ ଆରମ୍ଭ ହେଉଥିଲା। ପ୍ରଥମ ଦଫା କାଠ ପଠାଇବା ପରେ କାଠ ପଟା ଚିରା ପୂର୍ବରୁ ଅବିରଚଳା ନାୟକ ଫାଲଗୁନ ପଞ୍ଚୁଦୋଳ ଦ୍ବିତୀୟା ଦିନ ଆଉ ଏକ ହୁକୁମନାମା ସହ ଅବିର, ଦୋଳପ୍ରସାଦ, ଖଣ୍ଡୁଆ ନେଇ ଯାତ୍ରା କରୁଥିଲେ। ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମସ୍ତ ରଥକାଠ ବଡ଼ଦାଣ୍ଡସ୍ଥିତ ଶ୍ରୀନହର ସାମ୍ନା ରଥଖଳାରେ ପହଞ୍ଚି ଯାଉଥିଲା।
ମହାପ୍ରଭୁଙ୍କ ମହାଖଳା
ରଥର ନିର୍ମାଣ ପଦ୍ଧତି ଯେପରି ସ୍ବତନ୍ତ୍ର, ରଥର ବ୍ୟାକରଣ ମଧ୍ୟ ସେହିପରି ଭିନ୍ନ। ରଥର ବିଭିନ୍ନ ଅଂଶର ନାମକରଣର ଅଭିଧାନ ସ୍ବତନ୍ତ୍ର। ସେଇ ଦୃଷ୍ଟିରୁ ରଥମାନଙ୍କରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପାଦାନର ନାମକରଣ ସ୍ବତନ୍ତ୍ର। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ତିଆରି ହେଉଥିବା ସ୍ଥାନର ନାମ ହେଉଛି ରଥଖଳା।
ଡ. ତୁଳସୀ ଓଝାଙ୍କ ମତରେ ଖଳା ଏକ ପାରମ୍ପରିକ ଓଡ଼ିଆ ଶବ୍ଦ। ସାଧାରଣତଃ ଚାଷୀ ପରିବାର କୃଷିଜାତ ଦ୍ରବ୍ୟ ଧାନ, ମୁଗ, ବିରି, କୋଳଥ, ରାଶି ଅମଳ ପାଇଁ ଯେଉଁ ସ୍ଥାନକୁ ଗୋବରରେ ଲିପାପୋଛା କରି ରଖିଥାଆନ୍ତି ସେଇ ସ୍ଥାନର ନାମ ଖଳା ବା ଖଳାବାଡ଼ି। ସାଧାରଣତଃ ଖଳାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମହାଲକ୍ଷ୍ମୀ। ତେବେ ସ୍ବୟଂ ମହାପ୍ରଭୁଙ୍କ ରଥ ନିର୍ମିତ ହେଉଥିବାରୁ ଏହାର ଭିନ୍ନ ନାମ ମହାଖଳା। ଏହି ମହାଖଳାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଚର୍ଚ୍ଚିକା ଠାକୁରାଣୀ। ଠାକୁରାଣୀଙ୍କ ସମ୍ମୁଖରେ ଶ୍ରୀନଅର ପାର୍ଶ୍ବରେ ବଡ଼ଦାଣ୍ଡ ଉପରେ ରଥଖଳା ନିର୍ମିତ ହୋଇ ଆସୁଛି। ଏଠାରେ ଥିବା ଚର୍ଚ୍ଚିକା ଠାକୁରାଣୀଙ୍କୁ ଆରାଧନା କରି ଶାଢ଼ି ବନ୍ଧା ବିଶ୍ବକର୍ମାମାନେ ରଥ କାମ ଆରମ୍ଭ କରିଥାଆନ୍ତି। ଏମାନଙ୍କୁ ଚର୍ଚ୍ଚେଇତ ପାଇକ ବୋଲି ମଧ୍ୟ କୁହାଯାଏ।