ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାର ବିଶୃଙ୍ଖଳା ଯେପରି ବାହୁଡ଼ାଯାତ୍ରାରେ ନ ଘଟୁ, ତା’ ଉପରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ନଜର ରଖିଛି। ଏହାକୁ ନେଇ ଆକ୍ସନ୍ ମୁଡ୍ରେ ଅଛନ୍ତି ନୂଆ କରି ଯୋଗ ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଡ. ପାଢ଼ୀ ଆଜି ପହଣ୍ଡିଠାରୁ ରଥଟଣା ପର୍ଯ୍ୟନ୍ତ ରଥ ପାଖରେ ରହି ଜଣ ଜଣ କରି ରଥ ଉପରୁ ଅଣସେବକଙ୍କୁ ତଡ଼ିଛନ୍ତି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏ ଦିଗରେ ସହଯୋଗ କରିଛନ୍ତି।
ଅପରପକ୍ଷେ ଶ୍ରୀଗୁଣ୍ଡିଚା ଯାତ୍ରା ବିଶୃଙ୍ଖଳାର ଖୋଳତାଡ଼ ଆରମ୍ଭ ହୋଇଛି। ଯେଉଁ ଅଣସେବକମାନେ ରଥ ଉପରେ ଚଢ଼ି ବିଶୃଙ୍ଖଳା ସୃଷ୍ଟି କରିବା ସହ ନିୟମ ଉଲ୍ଲଂଘନ କରିଥିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ। ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ଡ. ପାଢ଼ୀ କହିଛନ୍ତି। ଦୁଇଜଣଙ୍କ ଭିତରୁ ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଓ ଅନ୍ୟ ଜଣେ ବେସରକାରୀ ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ତଦନ୍ତରୁ ଶ୍ରୀମନ୍ଦିର ପ୍ରଶାସନ ଜାଣିବାକୁ ପାଇଛି। ଏ ସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଚିହ୍ନଟ ଦୁଇଜଣଙ୍କ ଭିତରେ ଜଣେ କୁଳପତି ଥିବା ଜଣାପଡ଼ିଛି।
ଆଜି ପହଣ୍ଡି ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଜଣେ ଅଣସେବକ ସେବକ ପରିଚୟପତ୍ର ପକାଇ ରଥ ଉପରେ ଚଢ଼ିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଏହା ଦେଖି ଡ. ପାଢ଼ୀ ସଂପୃକ୍ତ ଅଣସେବକଙ୍କୁ ତଳକୁ ଡାକିଥିଲେ। ତଳକୁ ଓହ୍ଲାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟପତ୍ର ବାହାର କରି ଜବତ କରିବା ସହ ରଥ ପାଖରୁ ତଡ଼ିଛନ୍ତି। ପରେ ପୁନର୍ବାର ସଂପୃକ୍ତ ଅଣସେବକ ରଥ ଉପରେ ଚଢ଼ିଥିଲେ। କିଛି ସେବକ ତାଙ୍କୁ ଜୋର ଜବରଦସ୍ତ ରଥ ଉପରକୁ ଚଢ଼ାଇଥିଲେ। ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏହା ଦେଖିବା ପରେ ପୁନର୍ବାର ରଥ ଉପରୁ ସଂପୃକ୍ତ ଅଣସେବକଙ୍କୁ ତଳକୁ ଓହ୍ଲାଇଛନ୍ତି। ଚଢ଼ିଥିବା ଅଣସେବକ ଜଣେ ମାଛ ବ୍ୟବସାୟୀ ବୋଲି ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ବାହୁଡ଼ା ଯାତ୍ରାରେ ଜଣେ ଅଣସେବକ ରଥରେ ଚଢ଼ିଥିଲେ। ତାଙ୍କ ପରିଚୟ ମଗାଯାଇଛି ଓ ଅଧିକ ଅନୁସନ୍ଧାନ ଜାରି ରହିଛି। ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀଗୁଣ୍ଡିଚା ଯାତ୍ରାରେ ଦୁଇଜଣ ରଥରେ ଚଢ଼ିଥିଲେ। ସେମାନେ ବଡ଼ବଡ଼ିଆ ଅଧିକାରୀ ବୋଲି ଜଣାପଡ଼ିଛି। ବେନିୟମ କାମ ଯିଏ ବି କରିବେ, ତାଙ୍କୁ ଆମେ ଛାଡ଼ିବୁ ନାହିଁ ବୋଲି ଡ. ପାଢ଼ୀ କହିଛନ୍ତି।