ପୁରୀ : ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ବିଦେଶ ଗସ୍ତରେ ଯାଇଛନ୍ତି। ସେଥିପାଇଁ ଆଜି ନବଯୌବନ ଦର୍ଶନ ବ୍ୟବସ୍ଥା ସଂକ୍ରାନ୍ତୀୟ ଦାୟିତ୍ବ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସମ୍ଭାଳିଛନ୍ତି। ସେ ଶ୍ରୀମନ୍ଦିରରେ ରହି ଦର୍ଶନ ଓ ଅନ୍ୟବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଦୁଇବର୍ଷ ଭକ୍ତ ରଥଯାତ୍ରା ଦେଖି ନ ଥିବାରୁ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥିତିରେ ବର୍ଷବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ସବୁ ଦାୟିତ୍ବ ତୁଲାଇ ଆସୁଛି। ରଥଯାତ୍ରାର ସବୁଭାର ମୁଣ୍ଡାଇ ଆସୁଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଗୁରୁ ଦାୟିତ୍ବ ରହୁଛି। ନୀତି ଶୃଙ୍ଖଳାଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ସୁରୁଖୁରରେ ସଂପାଦନ ହେବ, ସେ ଦାୟିତ୍ବ ବୁଝିବା ଓ ପ୍ରଶାସନିକ ଅଧିକାରୀ-ସେବାୟତଙ୍କ ଭିତରେ ସମନ୍ବୟ ରକ୍ଷା କରିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମୁଖ୍ୟ ଦାୟିତ୍ବ। କିନ୍ତୁ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଦେଶ ଗସ୍ତରେ ଥିବା ଜଣାପଡ଼ିଛି। ତାଙ୍କ ଅନୁପସ୍ଥିତରେ ସ୍ବତନ୍ତ୍ର ରିଲିଫ କମିସନର ଶ୍ରୀ ଜେନା ଆଜି ଭୋର ୪ଟାରୁ ଆସି ନୀତିକାନ୍ତି ତଦାରଖ କରିଥିବା ଦେଖିବାକୁ ମିଳିଛି। ସଅଳ ନୀତିକାନ୍ତି ଶେଷ ଉପରେ ଗୁରୁତ୍ବ ଦେବାସହ ସେବାୟତ ଓ ପ୍ରଶାସନିକ ଅଧିକାରୀମାନେ ସମନ୍ବୟ ରକ୍ଷା କରିଛନ୍ତି।
ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ନୀତି ଶୃଙ୍ଖଳା ଓ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ, ରଥଯାତ୍ରା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏ ସଂପର୍କରେ ‘ସମ୍ବାଦ’ ପକ୍ଷରୁ ମୁଖ୍ୟ ପ୍ରଶାସକ ଶ୍ରୀ ବିକ୍ରମଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ତାଙ୍କ ମୋବାଇଲ୍ ବନ୍ଦ ରହିଥିବାରୁ ଯୋଗାଯୋଗ ସମ୍ଭବ ହୋଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)