ପୁରୀ: ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ବାକିଆ କାର୍ଯ୍ୟ ତ୍ବରିତ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥଯାତ୍ରା ପରଦିନଠୁ ୨୮ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ଯାତ୍ରା କରିବେ। ରତ୍ନଭଣ୍ଡାରର ବାକିଆ କାମ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ। ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବାକୁ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଡ. ଅରବିନ୍ଦ ପାଢ଼ୀ। 

Advertisment

ଡ. ପାଢ଼ୀ କହିଛନ୍ତି, ଭିତର ରତ୍ନଭଣ୍ଡାର କାମ ପ୍ରାୟତଃ ସରିଛି। କେବଳ ଚଟାଣ କାମ ବାକି ରହିଛି। ବାହାର ରତ୍ନଭଣ୍ଡାରର ପଥର ବଦଳ ସହ ମରାମତି କାର୍ଯ୍ୟ ବାକି ରହିଛି। ୯ଦିନର ଅବଧି ମଧ୍ୟରେ କାମ କରିବା ପାଇଁ ସହଜ ହେବ। ତେଣୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଅଗ୍ରାଧିକାର ଭିତ୍ତିରେ କରିବାକୁ ସେ ଚିଠି କରିଛନ୍ତି। ଏଥିସହ ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସ୍‌ଆଇ ଉପମହାନିର୍ଦ୍ଦେଶକଙ୍କ ଦ୍ବାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। 

ଏହାବ୍ୟତୀତ ଅରୁଣ ସ୍ତମ୍ଭ ନିକଟରେ ଖଣ୍ଡୋଲାଇଟ୍ ପଥର ବଦଳ କାର୍ଯ୍ୟ ସାରିବାକୁ କୁହାଯାଇଛି। ଅଦ୍ୟାବଧି ରତ୍ନଭଣ୍ଡାରର ସଂରକ୍ଷଣ ଆଦି କାର୍ଯ୍ୟ ପାଇଁ ଏଏସ୍ଆଇକୁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ପ୍ରଶାସକ ୩ ଗୋଟି ବିନ୍ଦୁ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଆକର୍ଷଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, ଉତ୍ତର ଦ୍ୱାର ଠାରେ ରୢାମ୍ପ୍‌ ନିର୍ମାଣ କାର୍ଯ୍ୟ ଏଏସ୍ଆଇର ପରାମର୍ଶ ତଥା ମାର୍ଗଦର୍ଶନରେ ଶେଷ ହୋଇଛି। ତେବେ ଦିବ୍ୟାଙ୍ଗ ରୢାମ୍ପରେ ଯାତାୟାତ କରିବା ନେଇ ନିଷ୍ପତ୍ତି ରଥଯାତ୍ରା ସରିବା ପରେ ବିସ୍ତୃତ ଆଲୋଚନା କରାଯିବ। ହ୍ବିଲ୍‌ ଚେୟାର ଜରିଆରେ ଯାଇପାରିବେ କି ନାହିଁ ସେ ସମ୍ପର୍କରେ ସେବକଙ୍କ ସହ ଆଲୋଚନା କରାଯିବ। ପରମ୍ପରା ବିରୋଧରେ ନଯାଇ ଏହାକୁ ସୁଗମ ପରିଚାଳନା କରିବା ନେଇ ଆଲୋଚନା କରାଯିବ। 

ଏହାବ୍ୟତୀତ ଏଏସ୍ଆଇର ନିର୍ଦ୍ଦେଶକ (ସଂରକ୍ଷଣ)ଙ୍କ ଅନୁଧ୍ୟାନ ପରେ ନାଟମଣ୍ଡପକୁ ବାତାନୁକୂଳିତ କରାଯିବା ନେଇ ପରିବର୍ତ୍ତିତ ଡିଜାଇନ ଦାଖଲ କରାଯିବ। ଏନେଇ ଏଏସ୍ଆଇର ସହମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଏଥିସହ ଶ୍ରୀମନ୍ଦିର ଓ ବେଢାରେ ଥିବା ପାର୍ଶ୍ବ ମନ୍ଦିର ଗୁଡିକର ସୁଦୃଶ୍ୟ ଆଲୋକୀକରଣ ବାବଦରେ ଏଏସ୍‌ଆଇ ପରାମର୍ଶଦାତାଙ୍କ ସହ ଆଲୋଚନା ହୋଇଛି। ବିସ୍ତୃତ ରିପୋର୍ଟ ପାଇବା ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ। ଶ୍ରୀମନ୍ଦିରର ଦୀର୍ଘମିଆଦୀ ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ପାଇଁ ଏଏସ୍‌ଆଇର ସହଯୋଗ ଲୋଡ଼ାଯାଇଛି। ଅଦ୍ୟାବଧି ସରିଥିବା ସମସ୍ତ କାର୍ଯ୍ୟର ଗୁରୁତ୍ବକୁ ଉପଲବ୍ଧି କରି ଧାର୍ଯ୍ୟ ସମୟସୀମା ଭିତରେ ସାରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି।