୨୨ ବର୍ଷ ହେଲା ଚାଲିଛି ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା, ହାଇକୋର୍ଟରେ ହାଜର ହେବେ ମୁଖ୍ୟ ବନ ସଂରକ୍ଷକ

କଟକ : ବନ ବିଭାଗର ଜଣେ ଅଧିକାରୀଙ୍କ ବିରୋଧରେ ୨୦୦୧ରେ ଆରମ୍ଭ ହୋଇଥିବା ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ତାଙ୍କର ଅବସର ପରେ ମଧ୍ୟ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚି ପାରିନାହିଁ। ଏହି ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍)ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେପ୍ଟେମ୍ବର ୧୨ରେ ପିସିସିଏଫ୍ ଭର୍ଚୁଆଲ ମୋଡରେ ହାଜର ହୋଇ କେଉଁ ପରିସ୍ଥିତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି, ସେ ନେଇ ସ୍ପଷ୍ଟୀକରଣ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଦ୍ବୈତ କୁମାର ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ରେଞ୍ଜ ଅଫିସର ଭାବେ ବନ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ୨୦୦୧, ଡିସେମ୍ବର ୧୫ରେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରସଂଗରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲା। ଫଳରେ ଆବେଦନକାରୀଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ମିଳି ପାରି ନଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସତ୍ୟଜିତ ବେହେରା ସହଯୋଗ କରୁଥିଲେ।

ସମ୍ବନ୍ଧିତ ଖବର