ଭୁବନେଶ୍ବର: ଯେଉଁ ସରକାରୀ ଅଧିକାରୀମାନେ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ବକୁ ଠିକ୍ ଭାବେ ତୁଲାଉନାହାନ୍ତି, ଯେଉଁମାନଙ୍କର ନିଷ୍ଠା, ସାଧୁତା ସନ୍ଦେହଜନକ, କାମ କରିବାକୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ନାହାନ୍ତି, ଏକାଧିକ ଭିଜିଲାନ୍ସ ମାମଲା ଅଛି, ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ପ୍ରମାଣିତ ହୋଇଛନ୍ତି, ବାରମ୍ବାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି, ଅଫିସରେ ଦିଆଯାଉଥିବା କାର୍ଯ୍ୟକୁ ଠିକ୍ ଭାବେ ତୁଲାଉନାହାନ୍ତି; ଏହିଭଳି ଅପାରଗ ବାବୁମାନଙ୍କ ତାଲିକା ପ୍ରସ୍ତୁତ କରି ପଠାଇବାକୁ ସମସ୍ତ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ଯିଏ ଅପାରଗ ସେମାନଙ୍କୁ ଚାକିରିରୁ ବିଦା କରିଦିଆଯିବ। ଯେଉଁ ପଦବି ଖାଲି ପଡ଼ିବ ସେଥି‌ରେ ନୂଆ ନିଯୁକ୍ତି ଦିଆଯିବ।

Advertisment

ଖୋଦ୍‌ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମାର୍ଚ୍ଚ ୨୪ରେ ବସିଥିବା ସଚିବସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବି ବିଭିନ୍ନ ବିଭାଗର ସଚିବମାନେ ତାଲିକା ଦେଲେନି। ଏପ୍ରିଲ, ମେ’, ଜୁନ୍, ଜୁଲାଇରେ ବସିଥିବା ସଚିବସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଏହା ପରେ ଅଗଷ୍ଟ ୪ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ସଚିବଙ୍କୁ ଲେଖାଯାଇଥିବା ୟୁଓଆଇ ନୋଟ୍‌ରେ ବିଭାଗଗୁଡ଼ିକୁ ୧୨ଟି ପଏଣ୍ଟରେ ତଥ୍ୟ ମଗାଯାଇଥିବାବେଳେ ଏଥିରେ ବି ଅପାରଗ କର୍ମଚାରୀଙ୍କୁ ଆଗୁଆ ଅବସର ଦେବା ନେଇ ତଥ୍ୟ ମଗାଯାଇଥିଲା। ଏଥିରେ କେଉଁ ବିଭାଗରେ କେତେ ଜଣ ସରକାରଙ୍କ ମାନଦଣ୍ଡ ଅନୁଯାୟୀ ଅପାରଗ ଅଛନ୍ତି ତା’ର ତାଲିକା ମଗାଯାଇଥିଲା। ଅଗଷ୍ଟ ୭ ତାରିଖ ସୁଦ୍ଧା ଏହି ରିପୋର୍ଟ ଦେବାକୁ କୁହାଯାଇଥିଲା। ବିଡ଼ମ୍ବନାର ବିଷୟ କୌଣସି ବିଭାଗର ମୁଖିଆ ଏହି ତାଲିକା ମୁଖ୍ୟ ସଚିବଙ୍କୁ ଦେଲେନି।

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସଚିବ
ବର୍ଷକୁ ୪ଥର ସମୀକ୍ଷା କରି ରିପୋର୍ଟ ଦେବାର ନିୟମ ଅଛି
ଅପାରଗ ଅଧିକାରୀ ନାହାନ୍ତି ନା ଜାଣିପାରୁନାହାନ୍ତି?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବୈଠକରେ ବାରମ୍ବାର ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣା ଯିବ ବୋଲି କହୁଛନ୍ତି। ମୁଖ୍ୟ ସଚିବ ଦୁର୍ନୀତିଗ୍ରସ୍ତ ଅପାରଗ ଅଧିକାରୀଙ୍କୁ ଆଗୁଆ ଚାକିରିରୁ ବିଦା କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ସଚିବମାନେ କାହିଁକି ଏହି ନିର୍ଦ୍ଦେଶ ମାନୁନାହାନ୍ତି ତାହା ଜଣାପଡ଼ୁନି। ବିଭାଗରେ ଅପାରଗ ଅଧିକାରୀ ନାହାନ୍ତି ନା ଏହିଭଳି ଅପାରଗ ଅଧିକାରୀଙ୍କ ତାଲିକା କରିବାକୁ ମୁଖିଆମାନେ ସକ୍ଷମ ହେଉନାହାନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

ଅପରପକ୍ଷେ ଓଡ଼ିଶା ସର୍ଭିସ୍ କୋଡ୍‌କୁ ଆଧାର କରି ସାଧାରଣ ପ୍ରଶାସନ ବିଭାଗର ସେପ୍ଟେମ୍ବର ୨୪, ୨୦୧୯ ମସିହାର ଗାଇଡ୍‌ଲାଇନ୍ ଅନୁଯାୟୀ, ଜଣେ ଗ୍ରୁପ୍-ଏ, ଗ୍ରୁପ୍-ବି ସରକାରୀ କର୍ମଚାରୀ ୫୦ ବର୍ଷ ବୟସ ଭିତରେ ୩୦ ବର୍ଷ ଚାକିରି କରିଥିଲେ, ୫୫ ବର୍ଷ ବୟସ ହୋଇଥିଲେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ବିଚାରକୁ ନିଆଯାଇପାରିବ। ଏଥିପାଇଁ ବର୍ଷକୁ ୪ଥର ସମୀକ୍ଷା କରାଯିବ। ଉପରୋକ୍ତ ମାନଦଣ୍ଡ ମାର୍ଚ୍ଚ ୩୧, ଜୁନ୍ ୩୦, ସେପ୍ଟେମ୍ବର ୩୦, ଡିସେମ୍ବର ୩୧ ସୁଦ୍ଧା ପୂରଣ ହେଉଥିଲେ ତାଙ୍କ କାର୍ଯ୍ୟ ସମୀକ୍ଷା ପରିସରଭୁକ୍ତ ହେବ। ସେହିପରି ଅନ୍ୟ କର୍ମଚାରୀଙ୍କର ଜୁନ୍ ୩୦ ଓ ଡିସେମ୍ବର ୩୧ ସୁଦ୍ଧା ଉପରୋକ୍ତ ମାନଦଣ୍ଡ ପୂରଣ କରୁଥିଲେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ବିଚାରକୁ ନିଆଯିବ। 

ହେଲେ କର୍ମଚାରୀଙ୍କର ପ୍ରଥମ ୫ବର୍ଷ ଚାକିରି ଭିତରେ କିମ୍ବା ପଦୋନ୍ନତି ପାଇ ଅବସ୍ଥାପିତ ହୋଇଥିବା ପଦବିରେ ଯଦି ୫ବର୍ଷ ଭଲ କାମ କରିଥିବେ ତେବେ ତାଙ୍କର ପୂର୍ବ କାର୍ଯ୍ୟ ଖରାପ ହୋଇଥିଲେ ବି ଏହାକୁ ସମୀକ୍ଷା ପରିସରଭୁକ୍ତ କରାଯିବନି। ବାଧ୍ୟତାମୂଳକ ଅବସର ଦେବା ପାଇଁ ପ୍ରତି ୪ମାସରେ ଥରେ ଲେଖାଏଁ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି। ଏଥିରେ ଜାନୁଆରିରୁ ମାର୍ଚ୍ଚ ମାସର ସମୀକ୍ଷା କରି ଏପ୍ରିଲ ୧୫ ସୁଦ୍ଧା, ଏପ୍ରିଲରୁ ଜୁନ୍ ମାସର ସମୀକ୍ଷା କରି ଜୁଲାଇ ୧୫, ଜୁଲାଇରୁ ସେପ୍ଟେମ୍ବରର ଅକ୍ଟୋବର ୧୫, ଅକ୍ଟୋବରରୁ ଡିସେମ୍ବର ମଧ୍ୟର କାର୍ଯ୍ୟକୁ ସମୀକ୍ଷା କରି ତାହା ପରବର୍ଷର ଜାନୁଆରି ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିୟମ ଅଛି। ଏହାକୁ ଆଧାର କରି ଅପାରଗ ବାବୁଙ୍କୁ ବିଦା କରିବାର ଗାଇଡ୍‌ଲାଇନ୍ ଅଛି। ହେଲେ ଏହାକୁ  କୌଣସି ବିଭାଗ ମାନୁନାହାନ୍ତି। ଆସନ୍ତା ୧୨ ତାରିଖରେ ସଚିବସ୍ତରୀୟ ବୈଠକ ବସିବାକୁ ଥିବାରୁ ଏ ସଂପର୍କରେ ଆଲୋଚନା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।