ବାଂଶଡ଼ା ସେତୁ ପରିଦର୍ଶନ କଲେ ବିଶ୍ୱବ୍ୟାଙ୍କ ମୁଖ୍ୟଯନ୍ତ୍ରୀ

ଚାନ୍ଦବାଲି: ବର୍ଷାଦିନ ପୂର୍ବରୁ ବହୁ ପ୍ରତୀକ୍ଷିତ ବାଂଶଡା ପୋଲର କାମ ଶେଷ ହେବ। ଧାମରା ଜୋନରେ ଥିବା ୭ ପଂଚାୟତବାସୀଙ୍କର ଦୁଃଖ ଦୂର ହେବ। ସବୁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ମାଟି ପାଇଁ କାମ ଅଟକି ଥିଲା। ଏବେ ଖରାଦିନ ଓ ରାସ୍ତା ପାଇଁ ମାଟି ଠିକ୍ ହୋଇଯାଇଥିବାରୁ କାମ ଦ୍ରୁତ ଗତିରେ ଚାଲିବ। ମାଟି କାମ ସରିବାର ମାସକ ମଧ୍ୟରେ ବାକି କାମ ସବୁ ହୋଇଯିବ ବୋଲି ଆଜି ବିଶ୍ୱ ବ୍ୟାଙ୍କର ମୁଖ୍ୟଯନ୍ତ୍ରୀ ବାଂଶଡା ସେତୁ ପରିଦର୍ଶନରେ ଅାସିଥିବା ବେଳେ ସୂଚନା ଦେଇଥିଲେ। ତେବେ  ବିଶ୍ୱବ୍ୟାଙ୍କର ମୁଖ୍ୟଯନ୍ତ୍ରୀଙ୍କ ସହିତ  ଅଧୀକ୍ଷଣ ଯନ୍ତ୍ରୀ ରଥଙ୍ଗଧର ରାଉତ, ନିର୍ବାହୀଯନ୍ତ୍ରୀ ପ୍ରଦୀପ କୁମାର ସାମନ୍ତରାୟ,  ସହକାରୀ ଯନ୍ତ୍ରୀ ଡମ୍ବୁରୁଧର  ମଣ୍ଡଳ,  କନିଷ୍ଠ ଯନ୍ତ୍ରୀ ଚରଣ ସିଂ  ପୋଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ବିଭାଗୀୟ ଠିକାଦାରଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ପୋଲ ନିର୍ମାଣର ଅହେତୁକ ବିଳମ୍ବ ପାଇଁ ମୁଖ୍ୟଯନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଧଳ, ୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, ସୁଶାନ୍ତ ମହାପାତ୍ର, ସବ୍ୟସାଚୀ ମହାକୁଡଙ୍କ ସହିତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ ଏହି ୧୨୦ ମିଟର ପୋଲ ୧୧ବର୍ଷ ଧରି ନିର୍ମାଣ ଚାଲୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗ ନେଇ ଏହାର ନିର୍ମାଣ ମନ୍ଥର ଗତିରେ ଚାଲୁଥିଲା। ପୋଲର ଉଭୟ ପାର୍ଶ୍ବରେ ହେବାକୁ ଥିବା ଆପ୍ରୋଚ ରୋଡ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ସହିତ ମାଟି ସମସ୍ୟା ଏବେ ଦୂର ହୋଇଛି। ଖୁବ୍‌ଶୀଘ୍ର ରାସ୍ତା କାମ ସରିବ ବୋଲି ବିଧାୟକ ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷାଦିନ ପରେ ଲୋକଙ୍କୁ ଆଉ ବିପଦସଙ୍କୁଳ ନଦୀ ପାର ହେବାକୁ ପଡିବ ନାହିଁ ବୋଲି ବିଧାୟକ କହିବା ସହିତ ବିଭାଗୀୟ ଠିକାଦାରଙ୍କ ସହିତ ମୁଖ୍ୟଯନ୍ତ୍ରୀ ଶ୍ରୀ ମହାରଣା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର