କେନ୍ଦୁଝର: ବକେୟା ବିଲ୍‌ ପାଇଁ କେନ୍ଦୁଝର ଆୟୁର୍ବେଦିକ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ଦେବାଶିଷ ମହାପାତ୍ର ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ସରକାର ଜୁନ୍‌ ମାସରେ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ। ଏହାକୁ ପିଛିଲା ଭାବେ ଜାନୁଆରିରୁ ଲାଗୁ କରାଯାଇଥିଲା। ୩୦ ଜଣ ଆୟୁର୍ବେଦିକ ଆସିଷ୍ଟାଣ୍ଟଙ୍କ ୫ ମାସର ବକେୟା ବିଲ୍‌ କରିବା ପାଇଁ ଶ୍ରୀ ମହପାତ୍ର ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Advertisment

ଏ ସମ୍ପର୍କରେ ଭିଜିଲାନ୍ସକୁ ଅବଗତ କରାଯାଇଥିଲା। କଥାବାର୍ତ୍ତା ଅନୁଯାୟୀ ଆଜି ଯୋଡ଼ା ବ୍ଲକ୍‌ ପୁରୁଷୋତ୍ତମପୁର ଡାକ୍ତରଖାନାର ଆୟୁର୍ବେଦିକ ଆସିଷ୍ଟାଣ୍ଟ ବିରାମ ଟୁଡ଼ୁଙ୍କଠାରୁ ଏଥିପାଇଁ ସେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଥିଲେ। ଟଙ୍କାରେ ରାସାୟନିକ ଦ୍ରବଣ ବେଳାଯାଇଥିବାରୁ ଶ୍ରୀ ମହାପାତ୍ରଙ୍କ ହାତ ଲାଲ ହୋଇଯାଇଥିଲା। ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ଇନ୍‌ସପେକ୍ଟର ବଙ୍କିମଚନ୍ଦ୍ର ବାଉରୀ, ‌ହେମାମାଳିନୀ ନାଏକ ପ୍ରମୁଖ ସାମିଲ ହୋଇଥିଲେ।