କୋରାପୁଟ: ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲାକୁ ପାଖାପାଖି ୧୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିରୁ ୧୧୩୬.୪୧ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ସେହିପରି ୭୪୯ କୋଟିର ନୂଆ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ ହୋଇଥିଲା। କୋରାପୁଟ ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଦାବି ସହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଥିଲା। ଯୋଗାଯୋଗ, ଜଳଯୋଗାଣ ସହ ବିଦ୍ୟୁତ୍‌ ଯୋଗାଣ କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସରକାର ସେ ସମୟରେ କହିଥିଲେ। ଆଉ କିଛି ମାସ ମଧ୍ୟରେ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସକୁ ୫ବର୍ଷ ପୂରିବ। ତେଣୁ ପ୍ରକଳ୍ପଗୁଡ଼ିକ କେଉଁ ସ୍ଥିତିରେ ରହିଛି ଅନୁସନ୍ଧାନ କରିବାରୁ ଅଧିକାଂଶ ପ୍ରକଳ୍ପର ଅସ୍ତିତ୍ବ ମିଳି ନଥିଲା। କିଛି ପ୍ରକଳ୍ପ ସର୍ଭେରେ ସୀମିତ ରହିଛି। ସେହିପରି ବୃହତ୍‌ ପ୍ରକଳ୍ପଗୁଡ଼ିକର ନିର୍ମାଣ ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟ ଅବଧି ଶେଷ ହୋଇଥିଲେ ବି ଅଧପନ୍ତରିଆ ଅବସ୍ଥାରେ ରହିଛି।

Advertisment

ଗତ ନିର୍ବାଚନର ଠିକ୍‌ ଦୁଇମାସ ପୂର୍ବରୁ (ଫେବ୍ରୁଆରି ୫ତାରିଖ) ରାଜ୍ୟ ସରକାର କୋରାପୁଟ ଜିଲ୍ଲାରେ ମୋଟ ୯୪ଟି ନୂଆ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ। ୪୧ଟି ରାସ୍ତା ନିର୍ମାଣ, ୨୦ଟି ପୋଲ, ୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ୬ଟି ବିଦ୍ୟୁତ ପ୍ରକଳ୍ପ ସହ ଅନ୍ୟାନ୍ୟ ପ୍ରକଳ୍ପ ନିମନ୍ତେ ମୋଟ ୭୪୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଥିଲେ। ବର୍ତ୍ତମାନ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୫୭୬ କୋଟି ଟଙ୍କା ପ୍ରକଳ୍ପ କାମ ଆଦୌ ଆରମ୍ଭ ହୋଇପାରିନି କିମ୍ବା ଅଧପନ୍ତରିଆ ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ ୫ବର୍ଷ ତଳେ ପ୍ରକଳ୍ପଗୁଡ଼ିକ ପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଥିବା ଜିଲ୍ଲାବାସୀ ବର୍ତ୍ତମାନ ସ୍ଥିତି ଦେଖିବା ପରେ ନିରାଶ ହୋଇଛନ୍ତି। କାରଣ ୩୭୨କୋଟି ଟଙ୍କା ବିନିମୟରେ ୩ଟି ବ୍ଲକ୍‌ ନିମନ୍ତେ ପରିକଳ୍ପନା ହୋଇଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ ହୋଇନି। କେବେ ସଂପୂର୍ଣ୍ଣ ହେବ କେହି ସ୍ପଷ୍ଟ କରୁନାହାନ୍ତି। ବୈପାରିଗୁଡ଼ାରେ ନିର୍ମାଣ ହେବାକୁ ଥିବା ୧୬୪କୋଟି ଟଙ୍କାର ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ଅବସ୍ଥା ମଧ୍ୟ ସମାନ। ଲମତାପୁଟରେ ୨୨.୬୨ କୋଟି ବିନିମୟରେ ନିର୍ମାଣ ହେବାକୁ ଥିବା ୧୩୨/୩୩ କେଭି ଗ୍ରିଡ୍‌ର ସ୍ଥିତି ଅସ୍ପଷ୍ଟ।

ଅନୁସନ୍ଧାନ କରିବାରୁ ୯୪ଟି ପ୍ରକଳ୍ପ ମଧ୍ୟରୁ କେବଳ ୩୧ଟି ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇଛି। ୧୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ହାତଗଣତି ହଷ୍ଟେଲ କୋଠା, ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ, ପଟାଙ୍ଗି ସବ୍‌ ଷ୍ଟସେନ ସହ ବିଶାଖାପଟଣା-ଜୟପୁର ରାସ୍ତା ଉନ୍ନତୀକରଣ କାମ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବହୁ ବର୍ଷର ଦାବି ବାଗଦେରି ମେଗା ଉଠାଜଳସେଚନ ପ୍ରକଳ୍ପ ୫ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନୋହିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜିଲ୍ଲାର ଅନେକ ଅଞ୍ଚଳକୁ ନଦୀ ତଥା ଜଳଭଣ୍ଡାର ବିଚ୍ଛିନ୍ନ କରିଥିଲା କିମ୍ବା ଜିଲ୍ଲା ସଦର ମହକୁମାରୁ ଦୂରତାକୁ ବଢ଼ାଇଥିଲା। ଏଥିପାଇଁ ମୁରାନ ନଦୀରେ ଗିର୍ଲ୍ଲିଗୁମା-ଦୁଆରଶୁଣି ଉଚ୍ଚସ୍ତରୀୟ ପୋଲ ବାବଦରେ ୬ କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ନନ୍ଦପୁର-ଲମତାପୁଟ-ବନମାଳିପୁଟ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବାକୁ କୋଲାବ ନଦୀରେ ୬କୋଟି ଟଙ୍କାରେ ପୋଲ କରିବାକୁ ସ୍ଥିର ହୋଇଥିଲା। ଏହାବ୍ୟତୀତ ସୁକୁ ପୋଲ ୫.୮୩କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ପ୍ରଶାସନ ଏବଂ ଜନପ୍ରତିନିଧି ଜଣାଇଥିଲେ। ବର୍ତ୍ତମାନ ପୋଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ରହିଛି। କେବେ ଶେଷ ହେବ ବୋଲି ଲୋକେ ପ୍ରଶ୍ନ ଉଠାଇଲେଣି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ବର୍ଷ ବର୍ଷ ଧରି ଚାଲିଛି। ଲମତାପୁଟ ପାୱାର ଗ୍ରିଡ୍‌ ସ୍ଥାପନ ହେଲେ ବିଦ୍ୟୁତ ଯନ୍ତ୍ରଣା କମିବ ବୋଲି ଯେଉଁ ଆଶା ରହିଥିଲା ତାହା ବର୍ତ୍ତମାନ ନିରାଶାରେ ପରିଣତ ହେଲାଣି।