ଫୁଲବାଣୀ: କନ୍ଧମାଳରେ ଦୃଢ଼ ମାଓ ଦମନ ପାଇଁ ଏସ୍‌ପି ପ୍ରତୀକ ଗୀତା ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ଏସ୍‌ପିଙ୍କ ସହ ୫ ମିନିଟ୍‌ ଫୋନ ଯୋଗେ କଥା ହେବା ସହ ମାଓ କାର୍ଯ୍ୟକଳାପ ଉପରେ ନଜର ରଖି ଦୃଢ଼ ଭାବେ ଦମନ କରିବାକୁ ପରାମର୍ଶ ଦେଇଥିଲେ। ମାଓ ଦମନରେ ସାମିଲ ସବୁ ଯବାନଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ପୂର୍ବଭଳି ମାଓ ଦମନ ଦୃଢ ଭାବେ ଜାରି ରହିବ ବୋଲି ଏସ୍‌.ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Advertisment

୨୦୧୮ ମସିହାରେ କନ୍ଧମାଳରେ ଏସ୍‌.ପି ଭାବେ ପ୍ରତୀକ ସିଂ ଯୋଗ ଦେଇଥିଲେ। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାଓ ଦମନ ଚାଲିଛି। ତାଙ୍କ ସମୟରେ ୫ଟି ଏନକାଉଣ୍ଟର ହୋଇଥିବା ବେଳେ ୧୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୧୦ରୁ ୧୫ ଥର ପୁଲିସ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ସହ ୧୫ରୁ ୨୦ଟି ମାଓ କ୍ୟାମ୍ପ ଠାବ ହୋଇଛି। ବିପୁଳ ପରିମାଣର ମାରଣାସ୍ତ୍ର ଜବତ ମଧ୍ୟ ହୋଇଛି। ସବୁଠାରୁ ବଡ଼ କଥା ଏହି ଦୁଇ ବର୍ଷ ମଧ୍ୟରେ ୪ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ପିଙ୍କ ମାଓ ଦମନ ଶୈଳୀରେ ଉତ୍ସାହିତ ହୋଇ ଯବାନମାନେ ମଧ୍ୟ ନିଷ୍ଠାପର ଭାବେ କାମ କରୁଛନ୍ତି। ପୂର୍ବରୁ ଏସ୍‌.ପିଙ୍କୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ମଧ୍ୟ ପ୍ରଶଂସା କରିଥିଲେ।