ଥୋମାସ କପ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ଖେଳାଳିଙ୍କୁ ୧୦ଲକ୍ଷର ଚେକ୍

ଭୁବନେଶ୍ବର: ପ୍ରଥମଥର ଲାଗି ଭାରତୀୟ ବ୍ୟାଡମିଣ୍ଟନ ଦଳ ଥୋମାସ କପ୍‌ରେ ବିଜୟୀ ହୋଇଥିଲା। ଦଳର ଏହି ସଫଳତାରେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଥିଲା। ଏହି ବିଶ୍ବ ବିଜେତା ଭାରତୀୟ ପୁରୁଷ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିଛନ୍ତି। ‌ଏଥିପାଇଁ ଲୋକସେବା ଭବନରେ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ଏହାସହ ୧କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଦଶନ୍ଧି ପୂର୍ବରୁ ଭାରତ ଯେ ବ୍ୟାଡମିଣ୍ଟନରେ ପ୍ରଭାବ ବିସ୍ତା କରିବ ତାହା ଅକଳ୍ପନୀୟ ଥିଲା। ଭାରତ ଏବେ ବ୍ୟାଡମିଣ୍ଟନରେ ବିଶ୍ବ ଚାମ୍ପିଅନ ଖେଳାଳି ସୃଷ୍ଟି କରିବାରେ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛି। ଥୋମାସ କପ୍‌ରେ ଭାରତ ଚାମ୍ପିଆନ ହେବା ଦେଶ ପାଇଁ ଏକ ଐତିହାସିକ ଓ ଗୌରବର ବିଷୟ। ବ୍ୟାଡମିଣ୍ଟନ ଭଳି ଏକ କଷ୍ଟକର କ୍ରୀଡ଼ାରେ ଭାରତୀୟ ଦଳ ବିଶ୍ବ ବିଜେତା ହେବା ବହୁତ ବଡ଼ କଥା।
ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ, ଭାରତୀୟ ଦଳର ସଦସ୍ୟ କେ.ଶ୍ରୀକାନ୍ତ, ଧ୍ରୁବତ କପିଲ, ଏଚ୍‌ଏସ୍‌ ପ୍ରଣୟ, ପ୍ରିୟାଂଶୁ ରାଜୱତ, ବିଷ୍ଣୁବର୍ଦ୍ଧନ ଗୌଡ଼, ଜି.କେ ପ୍ରସାଦ, ଏମ୍‌.ଆର ଅର୍ଜୁନ, ଚିରାମ ସେଟ୍ଟୀ ଓ ରଙ୍କି‌ ରେଡ୍ଡୀ ସାତ୍ତ୍ବିକ ସାଇରାଜ ପ୍ରମୁଖ ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଖେଳାଳିଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଦଶ ଜଣିଆ ଦଳରୁ କେବଳ ଲକ୍ଷ୍ୟ ସେନ ଅନୁପସ୍ଥିତ ଥିଲେ। ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଟିମ ଇଣ୍ଡିଆ ଏକ ଜର୍ସି ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ଖେଳାଳିଙ୍କ ସ୍ବାକ୍ଷର ଏହି ଜର୍ସିରେ ରହଥିଲା।

କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବ୍ୟାଡମିଣ୍ଟ ସଂଘ ସଭାପତି ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି.କେ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର