ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଭବାନୀପାଟଣାର ଓୟୁଏଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ। କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ସ୍ୱାସ୍ଥ୍ୟ ଇତିହାସରେ ନୂଆ ଯୁଗ ଆରମ୍ଭ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଣ୍ଟ। ଏହି ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରିବେ। କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି । ଗତ ଜୁନ୍ ମାସରେ କଳାହାଣ୍ଡି ଆସି ସେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ବୋଲି ମନେ ପକାଇ କହିଲେ ଯେ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି । କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନ୍ରେ ପହଞ୍ଚିବା ବେଳେ, ମାଛ ଉତ୍ପାଦନରେ ଜାତୀୟ ପୁରସ୍କାର ମଧ୍ୟ ପାଇପାରିଛି । କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ ବୋଲି ପ୍ରକାଶ କରି କହିଥିଲେ ଯେ ଏବର୍ଷ କପା ପାଇଁ ବଜାରରେ ଭଲ ଦାମ ମିଳୁଥିବାରୁ ଚାଷୀର ରୋଜଗାର ବଢିଛି । ଏଥିପାଇଁ ସେ ଖୁସି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ଅବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ୍ ଦ୍ରୁତ ଗତିରେ ଜାରି ରହିଛି । ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ବୋଲି ସେ କହିଥିଲେ । ବିଜୁ ଏକ୍‌ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ, ବିଭିନ୍ନ ଗ୍ରିଡ ସବ୍‌ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ – ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ। କଳାହାଣ୍ଡିରେ ମିଶନ ଶକ୍ତିର ମା’ମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି। କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇ ସେ କହିଥିଲେ ଯେ କଳାହାଣ୍ଡିରେ ଶହେ ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ  ଟୁକୁନୀ ସାହୁ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାସ ଓ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର