ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆଜି ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଗତ ୨୭ ତାରିଖରେ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ସଂକ୍ରାନ୍ତୀୟ ଏକ ପ୍ରଶ୍ନ କରାଯାଇଥିଲା। ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ପ୍ରଶ୍ନ ଥିଲା। ବିନା ବିଚାର ବିଭାଗୀୟ ନିର୍ଦ୍ଦେଶରେ ଏକ ଅପରାଧିକ ମାମଲାରେ ଚାଲିଥିବା ପୁଲିସ ତଦନ୍ତକୁ ଜଣେ ଘରୋଇ ବ୍ୟକ୍ତି ବା ଅବସରପ୍ରାପ୍ତ ବିଚାରପତି କିମ୍ବା ବାହାରର ସଂସ୍ଥା ତଦାରଖ କରିପାରିବେ କି? ଯଦି ନା, ତେବେ ନବ ଦାସ ହତ୍ୟା ମାମଲାରେ ଚାଲିଥିବା ତଦନ୍ତକୁ ତଦାରଖ କରିବା ପାଇଁ ଜ‌ଣେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତି ଆଇନସମତ କି? ନବ ଦାସ ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ଦିଗକୁ ତଦନ୍ତ କରାଯାଉଛି କି?

Advertisment

ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖି ଦର୍ଶାଇଥିଲେ ଯେ ତଦନ୍ତରେ ସ୍ବଚ୍ଛତା ଓ ନିରପେକ୍ଷତା ରଖିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଓଡ଼ିଶା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ ପି ଦାସଙ୍କୁ ମନୋନୀତ କରିଥିଲେ। ନିକଟରେ ଉତ୍ତରପ୍ରଦେଶର ଖେରୀ ଘଟଣାରେ ତଦନ୍ତର ତଦାରଖ ପାଇଁ ସୁପ୍ରିମକୋର୍ଟ ପଞ୍ଜାବର ଜଣେ ଅବସରପ୍ରାପ୍ତ ବିଚାରପତି ରାକେଶ କୁମାର ଜୈନଙ୍କୁ ନିଯୁକ୍ତି ଦେଇଥିଲେ। ଏହାକୁ ଦୃଷ୍ଟାନ୍ତ ଭାବେ ନିଆଯାଇ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏପରି ନିଯୁକ୍ତି ଆଇନସମତ କି ନାହିଁ, ତାହାର ସ୍ପଷ୍ଟ ଉତ୍ତର ଗୃହ ରାଷ୍ଟ୍ର ମନ୍ତ୍ରୀ ଦେଇ ନାହାନ୍ତି। ଏହି ଉତ୍ତର ମାଧ୍ୟମରେ ଗୃହକୁ ବିଭ୍ରାନ୍ତ କରିଛନ୍ତି। ଉତ୍ତରପ୍ରଦେଶ ଖେରୀ ଘଟଣା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଏସ୍‌ଆଇଟିକୁ ରଦ୍ଦ କରିଥିଲେ। ସୁପ୍ରିମ‌କୋର୍ଟ ନିଜ ଆଡ଼ୁ ଏସ୍‌ଆଇଟି ଗଠନ କରି ତାହାର ତଦାରଖ କରିବାକୁ ପଞ୍ଜାବର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ। ଏହା ଏକ ବିଚାର ବିଭାଗୀୟ ନିର୍ଦ୍ଦେଶ ଥିଲା। କିନ୍ତୁ ନବ ଦାସଙ୍କ ହତ୍ୟା ଘଟଣାରେ ତାହା ହୋଇନାହିଁ। ହାଇକୋର୍ଟଙ୍କ ଏହା ବିଚାରବିଭାଗୀୟ ନିର୍ଦ୍ଦେଶ ନୁାହେଁ, ପ୍ରଶାସନିକ ନିର୍ଦ୍ଦେଶ। କିନ୍ତୁ ମନ୍ତ୍ରୀ ଭୁଲ୍‌ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରୁଛନ୍ତି।

ଗୃହକୁ ବିଭ୍ରାନ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ଷମା ମାଗିବାକୁ କଂଗ୍ରେସ ବିଧାୟକ ଦଳ ନେତା ଦାବି କରିଥିଲେ। ସ୍ବାଧିକାର ଭଙ୍ଗ ନୋଟିସ୍‌କୁ ସ୍ବତନ୍ତ୍ର ସ୍ବାଧିକାର କମିଟିକୁ ପଠାଯାଉ। କାରଣ ବର୍ତ୍ତମାନ ଥିବା ସ୍ବାଧିକାର କମିଟି ଅକାମୀ ହୋଇଯାଇଛି ବୋଲି ସେ କହିଥିଲେ।

ବାଚସ୍ପତି ଏହାକୁ ଅନୁଧ୍ୟାନ କରିବେ ବୋଲି କହିଥିଲେ। କିନ୍ତୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ। କଂଗ୍ରେସ ସଭ୍ୟମାନେ ତୁରନ୍ତ ରୁଲିଂ ଦାବି କରିବା ସହ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ।