ଭୁବନେଶ୍ୱର: ଉଠାଦୋକାନୀଙ୍କୁ କୋଭିଡ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱର ଉଠାଦୋକାନୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ ସହାୟତା ଦିଆଯାଇଛି। ସମସ୍ତ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଦିଆଯିବ। ଆଉ ଏଥିପାଇଁ ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ସହରାଞ୍ଚଳରେ ଥିବା ଉଠାଦୋକାନୀମାନଙ୍କୁ ଦିଆଯିବ। ଏହାସହ ନବୀନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୭୦ଟି ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଉ ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଠାଦୋକାନୀଙ୍କ ଜୀବିକାର ସୁରକ୍ଷା ପାଇଁ ଏହି ସହାୟତା ରାଶି ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଦିଆଯାଇଥିଲା। ସହରର ଅର୍ଥନୀତିରେ ପଥବିକାଳୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ। କୋଭିଡ ସମୟରେ ପଥବିକାଳୀଙ୍କ କଷ୍ଟ ଅନୁଭବ କରିଛି। ତେଣୁ ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ସରକାର ସବୁବେଳେ ଆପଣଙ୍କ ସହ ରହିଛନ୍ତି ବୋଲି ନବୀନ କହିଛନ୍ତି।
ଏହାପୂର୍ବରୁ ପଞ୍ଜିକୃତ ଉଠା ଦୋକାନୀମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ ରାଜ୍ୟ ସରକାର। ୪୫ କୋଟିରୁ ଅଧିକ ଟଙ୍କା ୨ଟି ପର୍ଯ୍ୟାୟରେ ୧୧୪ଟି ସହରାଞ୍ଚଳରେ ଥିବା ପଞ୍ଜିକୃତ ଉଠାଦୋକାନୀଙ୍କୁ ସହାୟତା ଦିଆଯାଇଥିଲା। ଗତ ୨୦୨୦ ମାର୍ଚ୍ଚ ୩୦ ତାରିଖରେ ୧୪ କୋଟି ଅର୍ଥରାଶି ୪୮ ହଜାରରୁ ଅଧିକ ପଥ ବିକାଳୀଙ୍କୁ ସହାୟତା ଆକାରରେ ଯୋଗାଇ ଦିଆଯାଇଥିଲା। ସେହିଭଳି ୨୦୨୧ରେ ୨୩ କୋଟିରୁ ଅଧିକ ଟଙ୍କା ୭୮ ହଜାରରୁ ଅଧିକ ପଥ ବିକାଳୀଙ୍କୁ ସହାୟତା ଆକାରରେ ଯୋଗାଇ ଦିଆଯାଇଥିଲା। ତେବେ ଚଳିତ ଥର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୩ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଅନଲାଇନରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯିବ। ଯେଉଁମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିବ ସେମାନଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ରାଶି ମିଳିବ।

Advertisment

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ବ ବିକ୍ରେତାମାନେ ସେମାନଙ୍କ ମନ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଭୁବନେଶ୍ବରରୁ ଅକ୍ଷୟ ମହାନ୍ତି, ରାଉରକେଲାରୁ କୃଷ୍ଣଚନ୍ଦ୍ର ମୁଖାର୍ଜୀ, ସମ୍ବଲପୁରରୁ ରବିନାରାୟଣ ପ୍ରଧାନ, କଟକର ଶ୍ରୀଧର ରାୟ ଓ ବ୍ରହ୍ମପୁରରୁ ଟୁନି ବେହେରା ସେମାନଙ୍କର ମତବ୍ୟକ୍ତ କରି କହିଲେ ଯେ ଲକ୍‌ଡାଉନ ହେବା ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଠିକ୍‌ ସମୟରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ଦୁଇ ଥର ସାହାଯ୍ୟ ପାଇବା ପରେ ଆଜି ତୃତୀୟ ଥର ସହଯୋଗର ହାତ ବଢାଇଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ହଜାର ହଜାର ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ, ମ୍ୟୁନିସ୍‌ପାଲ ଆଡମିନିଷ୍ଟ୍ରେସନ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିtନରମାନେ ଏବଂ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀମାନେ ଉପସ୍ଥିତ ଥିଲେ।