ବାରିପଦା/ଚିତ୍ରଡ଼ା: ଶିକ୍ଷାର ମାନବୃଦ୍ଧି ପାଇଁ ହାଇସ୍କୁଲଗୁଡିକୁ ୫-ଟି ଯୋଜନାରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ୩୯୯ଟି ହାଇସ୍କୁଲକୁ ଦ୍ବିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏସବୁ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ମୋରଡା ବ୍ଲକ୍‌ ପାଟପୁର ସରକାରୀ ବାଳିକା ହାଇସ୍କୁଲରେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ପୌରୋହିତ୍ୟରେ ଜିଲ୍ଲାସ୍ତରୀୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରି ପ୍ରମୁଖ ମଞ୍ଚାସୀନ ଥିଲେ।

Advertisment

୩୯୯ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ମୋଟ୍ ୨୩୯ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନଗାର, ବିଶୁଦ୍ଧ ପାନୀୟ ଜଳ, ଖେଳ ସାମଗ୍ରୀ ଓ ଖେଳ ପଡ଼ିଆ ନିର୍ମାଣ ହୋଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ। ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ମାର୍ଣ୍ଡି ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନିଜର ଅନୁଭୂତି ଓ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ କଥା ହୋଇଥିଲେ। ପୂର୍ଣ୍ଣିମା ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଜାଣି ତାଙ୍କୁ ଶୁଭକାମନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ପିଡି ଡିଆର୍‌ଡିଏ ପି. ଅନ୍ୱେଷା ରେଡ୍ଡୀ, ଉପଜିଲ୍ଲାପାଳ ଅନ୍ୟା ଦାସ, ପିଏ ଆଇଟିଡିଏ ବସନ୍ତ ସେଠୀ, ଶିଶୁ ସୁରକ୍ଷା ଅଧିକାରୀଣୀ ମମତା ମୟୀ ବିଶ୍ୱାଳ, ଏପିଡି ପ୍ରିୟବ୍ରତ ପାଢ଼ୀ, ମୋରଡ଼ା ବିଡିଓ ସାଗର ପାଲୋ, ବିଇଓ ମମୋହନ ହେମ୍ବ୍ରମ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୩୯୯ଟି ହାଇସ୍କୁଲକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୟୂରଭଞ୍ଜ ବରିଷ୍ଠ ନାଗରିକ ଫୋରମର ପ୍ରତିଷ୍ଠାତା ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ।