ଇବ୍‌ ବ୍ୟାରେଜର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ: କୋପସିଂହା ଓ କୁଡ଼ାବଗାଠାରେ ୪୯୩ କୋଟି ଟଙ୍କାରେ ନିର୍ମାଣ ହେବ ଦୁଇଟି ବନ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଇବ୍ ନଦୀର କୋପସିଂହା ଓ କୁଡାବଗାରେ ୪୯୩ କୋଟିର ଦୁଇଟି ବନ୍ଧ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାର ଶୁଭ ଦେଇଛନ୍ତି। ଏଥିରେ ଭୁବନେଶ୍ବରରୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗ ସଚିବ ଉପସ୍ଥିତ ଥିଲେ। ଏହି ଅଵସରରେ ସୁନ୍ଦରଗଡ଼ ଵ୍ଲକ ପରିସରରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଉରକେଲା ଵିଧାୟକ ସାରଦା ପ୍ରସାଦ ନାୟକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଵିନୟ ଟପ୍ପୋ, ଜିଲ୍ଲାପାଳ ନିଖିଲ ପଵନ କଲ୍ୟାଣ ପ୍ରମୁଖ ଯୋଗ ଦେଇଥିଲେ।

ବହୁ ପ୍ରତୀକ୍ଷିତ ଇବ୍ ନଦୀ ବ୍ୟାରେଜ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ଇବ୍ ନଦୀର କୋପସିଂହା ଓ କୁଡାବଗାରେ ୪୯୩ କୋଟିର ଦୁଇଟି ବନ୍ଧ ନିର୍ମାଣ ହେବ। ଗତ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଏଥିପାଇଁ ଅର୍ଥ ମଞ୍ଜୁର କରିଥିଲେ। ୨୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋପସିଂହା ବ୍ୟାରେଜରେ ସୁନ୍ଦରଗଡ଼ ପୌରାଂଚଳ ସହ ସଦର ବ୍ଲକ, ଟାଙ୍ଗରପାଲି ବ୍ଲକର ୧୫ଟି ଗାଁର ୨୮ ହଜାର ୭୧୧ ଲୋକ ସିଧାସଳଖ ଉପକୃତ ହେବେ । ସେହିପରି ନିର୍ମାଣ ହେବାକୁ ଥିବା କୁଡାବଗା ବ୍ୟାରେଜରେ ସଦର ବ୍ଲକ ଓ ଟାଙ୍ଗରପାଲି ବ୍ଲକର ୨୧ଟି ଗାଁର ୧୮ ହଜାର ୫୪୧ ଲୋକ ଉପକୃତ ହେବେ। ପାନୀୟ ଜଳ, ମତ୍ସ୍ୟ ଚାଷ ପରି ଜୀବନଜୀବିକା ସମୃଦ୍ଧିର ସୁଯୋଗ ପାଇବେ। ଏହା ସହ ଦୁଇଟି ବ୍ଲକର ୪୮୯ ହେକ୍ଟର ଜମି ଜଳସେଚିତ ହେବ।

ଏହି ଅବସରରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ କନଷ୍ଟ୍ରକସନ୍ ଅଫ୍ ଇନ୍- ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ୧୧,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ବିଭିନ୍ନ ନଦୀ ସ୍ରୋତର ୩୦ଟି ସ୍ଥାନରେ ଏହି ବ୍ୟାରେଜ ନିର୍ମାଣ କରାଯିବ। ଯାହାଫଳରେ ଚାଷୀ ଜମିକୁ ସବୁ ଦିନ ପାଇଁ ପାଣି ପାଇପାରିବ। ଭୂତଳ ଜଳସ୍ତର ଠିକ୍‌ ରହିବ। ଆଖପାଖ ଗାଁମାନଙ୍କରେ ବିଶୁଦ୍ଧ ପାଇପ ପାଣି ଯୋଗାଣ ହୋଇପାରିବ। ଆଜି ସୁନ୍ଦରଗଡ଼ରେ ଆରମ୍ଭ ହୋଇଥିବା ଦୁଇଟି ପ୍ରକଳ୍ପ ଏହି ଯୋଜନାର ଅଂଶବିଶେଷ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ଼ ହେଉଛି ଓଡ଼ିଶାର ବିକାଶର ବତୀଘର। ରାଉରକେଲା ସହର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଉରକେଲାର ଏନଅଆଇଟି ଓଡ଼ିଶାର ଗୌରବ ବୃଦ୍ଧି କରିଛି। ଏହି ତିନୋଟିଯାକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ସାରା ଦେଶକୁ ବହୁତ କିଛି ଦେଇଛି। ସୁନ୍ଦରଗଡର କୋଇଲା, ଦେଶକୁ ଶକ୍ତି ଯୋଗାଉଛି । ସୁନ୍ଦରଗଡ଼ରେ ଏସିଆର ସବୁଠୁ ବଡ଼ ହକି ଷ୍ଟାଡିୟମ ହେବାକୁ ଯାଉଛି।ସୁନ୍ଦରଗଡ଼ର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି । ତେଣୁ ସୁନ୍ଦରଗଡ଼ରେ ଏମ୍ସ ସୁନ୍ଦରଗଡ଼ବାସୀଙ୍କର ହକ୍‌।

ସୁନ୍ଦରଗଡ଼ରେ ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍‌ ଠାରୁ ଆରମ୍ଭ କରି ମିସନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଜିଲ୍ଲାର ବହୁ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନୂଆ ଓଡିଶା ଗଠନରେ ନିଜ ନିଜର ଅବଦାନ ରଖିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ସ୍ବାଗତ ଭାଷଣ ଦେଇଥିଲେ। ବିଭାଗୀୟ ମୁଖ୍ୟଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ର ଉପରମୁଣ୍ତ ତେଲିଯୋର ଠାରୁ ଶେଷ ମୁଣ୍ତ ଭଷ୍ମା ଯାଏଁ ୭୦ କିଲୋମିଟର ଦୈର୍ଘ୍ୟ ଇବ ନଦୀ ସୁନ୍ଦରଗଡ଼ ସହର ସହ ବାଲିଶଙ୍କରା, ସବଡେଗା, ସଦର ଓ ଟାଙ୍ଗରପାଲି ବ୍ଲକ୍‌ର ଜୀବନଧାରା। ଏସବୁ ଅଞ୍ଚଳ ପାଇଁ ଚାଷ ଓ ପାନୀୟ ଜଳର ଏକମାତ୍ର ଉତ୍ସ। କିନ୍ତୁ କିଛି ବର୍ଷ ହେଲା ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଏକ ପ୍ରକାର ଶୁଖିଲା ରହୁଛି। ଖରା ଦିନେ ତ ନଦୀରେ ଧୂଧୂ ବାଲି ଛଡ଼ା ଆଉ କିଛି ଦିଶେନି। ଏହା ମଧ୍ୟରେ ପାନୀୟ ଜଳ ସଂକଟ ଦୂର କରିବା ପାଇଁ ନଦୀରେ ବ୍ୟାରେଜ ପାଇଁ ସୁନ୍ଦରଗଡ଼ବାସୀ ଦାବି କରି ଆସୁଥିଲେ। ତତ୍କାଳୀନ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ୨୦୦୯ରେ ଏଥିପାଇଁ ଏକ ପ୍ରସ୍ତାବ ଆଣିଥିଲେ। ଏହା ପରେ ସୁନ୍ଦରଗଡ଼ ସହରର ପାନୀୟ ଜଳ ସ˚କଟ ଦୂର କରିବା ଓ ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳସେଚନ ପରିକଳ୍ପନାରେ ୨୦୧୦-୧୧ ଆର୍ଥିକ ବର୍ଷରେ କୋପ୍‌ସିଙ୍ଗା ଠାରେ ୪ ଶହ କୋଟିର ଇବ୍‌ ବ୍ୟାରେଜ ପ୍ରକଳ୍ପ ଜଳ ସମ୍ପଦ ବିଭାଗର ଅନୁମୋଦନ ଲାଭ କରିଥିଲା। କିନ୍ତୁ ବିଭିନ୍ନ ବାଦବିବାଦ ମଧ୍ୟରେ ପ୍ରକଳ୍ପର ଫାଇଲ ଡଷ୍ଟବିନ୍‌କୁ ଚାଲିଗଲା। ତେବେ ବିଭିନ୍ନ ସମୟରେ ଇବରେ ବନ୍ଧ, ଆନିକଟ ପାଇଁ ପ୍ରସ୍ତାବ, ବ୍ୟୟବରାଦ ହୋଇଥିଲେ ବି ସେସବୁ କେବଳ ଯୋଜନା, ସର୍ଭେ, ଡିପିଆର୍‌, ଅନୁମୋଦନର ପ୍ରକ୍ରିୟା ମଧ୍ୟରେ ଅଟକି ରହିଥିଲା। ଏବେ ବନ୍ଧ ପାଇଁ ଅର୍ଥ ମଞ୍ଜୁର ଓ ନିର୍ମାଣ ପ୍ରକ୍ରିୟା ଆରମ୍ଭ ପରେ ସୁନ୍ଦରଗଡ଼ବାସୀ ଆଶ୍ବସ୍ତ ହୋଇଛନ୍ତି।

 

ସମ୍ବନ୍ଧିତ ଖବର