ଜନଜାତିଙ୍କ ଭାଷାକୋଷ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ ଥିବା ୬୨ ପ୍ରକାର ଜନଜାତି ଏବଂ ୧୩ ପ୍ରକାର ଆଦିମ ଜନଜାତିଙ୍କ ସମ୍ପର୍କରେ ସବିସ୍ତୃତ ତଥ୍ୟ ନେଇ ପ୍ରକାଶିତ ହୋଇଛି ପୁସ୍ତକ ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବ୍ସ ଇନ ଓଡ଼ିଶା’ର ୫ଟି ସମ୍ପାଦିତ ପୁସ୍ତକ। ଅନୁସୂଚିତ ଜାତି-ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁସୂଚିତ ଜାତି-ଜନଜାତି ଗବେଷଣା ପ୍ରତିଷ୍ଠାନର ସୂଚନା ଅନୁସାରେ, ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାରେ ସମସ୍ତ ଜନଜାତିଙ୍କ ଭାଷାକୋଷ ପ୍ରକାଶିତ ହୋଇଛି। ଅନୁସୂଚିତ ଜାତି-ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଏବି ଓତା, କନସଲଟାଣ୍ଟ ଏସସି ମହାନ୍ତିଙ୍କ ସମ୍ପାଦିତ ଏହି ପୁସ୍ତକଟି ୩୮୦୦ ପୃଷ୍ଠା ସମ୍ବଳିତ। ଏଥିରେ ୪୧୮ଟି ଗବେଷଣାଧର୍ମୀ ଆଲେଖ୍ୟ ରହିଛି।

୬ଦଶନ୍ଧି ମଧ୍ୟରେ ବିଭିନ୍ନ ଜନଜାତି ପତ୍ରିକାରେ ପ୍ରକାଶିତ ଆଲେଖ୍ୟକୁ ଏଥିରେ ସ୍ଥାନିତ କରାଯାଇଛି। ଏହି ପୁସ୍ତକକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ଗବେଷକ, ନୀତି ପ୍ରସ୍ତୁତକାରୀ ଏବଂ ଜନଜାତିଙ୍କ ଉପରେ ଆଗ୍ରହ ରଖୁଥିବା ପ୍ରତ୍ୟେକ ବର୍ଗ ପାଇଁ ଉପାଦେୟ ହୋଇ ପାରିବ ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟ ଗ୍ୟାଲେରି ସହିତ ଆଦିମ ଜନଜାତି ସଂଗ୍ରହାଳୟର ନୂତନ ପ୍ରୋଜେକ୍ଟିଂ ୟୁନିଟ୍‌ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ଅନୁସୂଚିତ ଜାତି-ଜନଜାତି ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଏହି ଜନଜାତି ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ୨୦୦୯ ମସିହାରେ ସଂଗ୍ରହାଳୟରେ ଆଦିମ ଜନଜାତିଙ୍କୁ ସାମିଲ କରାଯାଇ ଥିଲା। ୨୦୧୮ ମସିହାରେ ଏହାକୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମାନ୍ୟତା ଦିଆଯାଇ ଥିଲା।

ସମ୍ବନ୍ଧିତ ଖବର