ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ‘ରାଜ୍ୟ ଡାସବୋର୍ଡ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ ରହିଛି। ଏହି ବ୍ୟବସ୍ଥା ଦ୍ବାରା ୫-ଟି ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ।

Advertisment

ଏହି ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି କେପିଆଇଏସ୍‌ (କି ପରଫରମାନ୍ସ ଇଣ୍ଡିକେଟର୍‌ସ) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସପ୍ଲେ। ବର୍ତ୍ତମାନ ଏଥିରେ ୩୦ଟି ଭିନ୍ନ ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ।

ସାଧାରଣ ଲୋକ cmdashboard.odisha.gov.in ମାଧ୍ୟମରେ ବିଭିନ୍ନ ତଥ୍ୟ ପାଇପାରିବେ। ରାଜ୍ୟ ଡାସବୋର୍ଡକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟେକ୍ନୋଲୋଜି ଆମ ଶାସନ ମଡେଲର ଅଧାରବିନ୍ଦୁ ପାଲଟିଛି। ଏହା ଶାସନ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବା ସହ ଜନସେବାରେ ଆହୁରି ସ୍ବଚ୍ଛତା ଆଣିବାକୁ ଶ୍ରେଷ୍ଠ ଟେକ୍ନୋଲୋଜିର ନିରନ୍ତର ବ୍ୟବହାର ହୋଇପାରିବ। ଲୋକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ଏବଂ ତଥ୍ୟ ପରିଚାଳିତ ଶାସନ ବ୍ୟବସ୍ଥାରେ ଏହି ଡାସବୋର୍ଡ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।