ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ନିର୍ଦେଶକ: ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଶଂସା

ଭୁବନେଶ୍ବର: ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫ୍‌ଓ)ର ପ୍ରତିନିଧି ତଥା କଣ୍ଟ୍ରି ନିର୍ଦେଶକ ବିସ’ ପାରାଜୁଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ନେଇ ଚାଲିଥିବା କାର୍ଯ୍ୟକ୍ରମକୁ ଶ୍ରୀ ପାରାଜୁଲି ପ୍ରଶଂସା କରିବା ସହିତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ୫୦ବର୍ଷ ପୂର୍ତି ଉପଲକ୍ଷେ ରୋମ୍‌ରେ ହେବାକୁ ଥିବା ସମ୍ମିଳନୀ ପାଇଁ ବିଧିବଦ୍ଧି ନିମନ୍ତ୍ରଣ କରିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ପାରାଜୁଲି କହିଛନ୍ତି ଯେ ଓଡ଼ିଶାରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ। ବିଶେଷକରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ବିପର୍ଯ୍ୟୟରେ କୌଣସି ବ୍ୟକ୍ତି ମୃତାହତ ନ ହେବା ବା ଜିରୋ କାଜୁଆଲ୍‌ଟିକୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ସେହିପରି ରାଜ୍ୟର ଗ୍ରାମାଞ୍ଚଳର ମହିଳାମାନଙ୍କ ଜୀବନ ଧାରଣରେ ଉନ୍ନତିରେ ମିସନ ଶକ୍ତିର ବଡ଼ ଭୂମିକା ରହିଛି। ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଇବା, କୋଭିଡ ପରିଚାଳନା ଭଳି କ୍ଷେତ୍ରରେ ଓଡ଼ିଶା ସରକାର ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏସବୁ କାର୍ଯ୍ୟ ମିଳିତ ଜାତିସଂଘର ଥିବା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏହା ଫଳପ୍ରଦ ହୋଇପାରିବ। ସେ ଆହୁରିମଧ୍ୟ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ତାହାକୁ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ। ବିଗତ ବର୍ଷଗୁଡ଼ିକରେ ଭାରତ ବେଶ୍‌ ଅଗ୍ରଗତି କରିଛି। ଓଡ଼ିଶା ମଧ୍ୟ ଧାନ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। ତେଣୁ ଏସବୁ ଅଭିଜ୍ଞତାକୁ ନେଇ ଡବ୍ଲୁଏଫ୍‌ଓ ଓ ରାଜ୍ୟ ସରକାର ମିଳିତଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ପାରାଜୁଲି କହିଛନ୍ତି।

ସମ୍ବନ୍ଧିତ ଖବର